
ସ୍ୱର୍ଣ୍ଣ ମନ୍ଦିରକୁ ଦ୍ୱିତୀୟ ଦିନ ପାଇଁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍
ପଞ୍ଜାବ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ଦ୍ୱିତୀୟ ଦିନ ପାଇଁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏ ନେଇ ସୁରକ୍ଷା ଏଜେନ୍ସି ଏବଂ ପଞ୍ଜାବ ସରକାରଙ୍କୁ ଅବଗତ କରାଯାଇଛି ବୋଲି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ସଚିବ ପ୍ରତାପ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱର୍ଣ୍ଣ ମନ୍ଦିର କେବଳ ଶିଖଙ୍କ ପାଇଁ ନୁହେଁ ବରଂ ସମସ୍ତ ଧର୍ମର ବିଶ୍ୱାସର କେନ୍ଦ୍ର, ଏବଂ ସରକାର ଏହା ଉପରେ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।
ଏସଜିପିସି ସଚିବ ପ୍ରତାପ ସିଂହ କହିଛନ୍ତି, “ସ୍ୱର୍ଣ୍ଣ ମନ୍ଦିର ବିଶ୍ୱର କୋଟି କୋଟି ଲୋକଙ୍କ ବିଶ୍ୱାସର ପ୍ରତୀକ । ଏକ ଧମକପୂର୍ଣ୍ଣ ଇମେଲ୍ ପାଇଛୁ, ଯେଉଁଥିରେ ମନ୍ଦିରରେ ବିସ୍ଫୋରଣ ହେବାର କଥା କୁହାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଡିଜିପିଙ୍କୁ ଚିଠି ଲେଖି ଏହି ଗମ୍ଭୀର ବିଷୟ ବିଷୟରେ ଅବଗତ କରାଯାଇଛି । ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସୁରକ୍ଷା ଏଜେନ୍ସିଗୁଡ଼ିକର ଦାୟିତ୍ୱ । ଏସଜିପିସି ସଚିବ କହିଛନ୍ତି ଯେ ପୂର୍ବରୁ ଥରେ ଏପରି ଇମେଲ୍ ମିଳିଛି । ତେଣୁ ଏହି ମାମଲାକୁ ଅଣଦେଖା କରାଯାଇପାରିବ ନାହିଁ ଏବଂ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ଉଚିତ । ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଏସଜିପିସି ଦାବି କରିଛି । ଏପରି ଧମକ ପଠାଉଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।