ଡ୍ୟୁଟି ସମୟରେ ଭୁଲବଶତଃ ଆନ୍ତର୍ଜାତୀୟ ସୀମା ପାର କଲେ ବିଏସଏଫ ଯବାନ : ପାକିସ୍ତାନ ରେଞ୍ଜର୍ସ ରଖିଲେ ଅଟକ

ପଞ୍ଜାବର ଫିରୋଜପୁର ସେକ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ବୁଧବାର ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ ଯବାନ ଡ୍ୟୁଟି ସମୟରେ ଭୁଲବଶତଃ ଆନ୍ତର୍ଜାତୀୟ ସୀମା (ଜିରୋ ଲାଇନ) ପାର କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଅଟକ କରିଛନ୍ତି ।ସୂତ୍ରରୁ ପ୍ରକାଶ,ଏହି ଘଟଣା ଫିରୋଜପୁର ଜିଲାର ଜଲୋକ ଡୋନା ପୋଷ୍ଟ ନିକଟରେ ଘଟିଛି । ବିଏସଏଫ ଯବାନ ନିଜ ନିୟମିତ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି ଭୁଲ ଘଟିଥିଲା। ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ନିଜ ଅଧୀନତାରେ ନେଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଭାରତୀୟ ସେନା ଓ ବିଏସଏଫ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଯବାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପାକିସ୍ତାନ ରେଞ୍ଜର୍ସ ସହ ଏକ ଫ୍ଲାଗ ମିଟିଂ ଆୟୋଜନ କରାଯାଇଛି। ଏହି ବୈଠକରେ ଉଭୟ ପକ୍ଷ ମିଳିତ ଭାବେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।ଏକାଧିକ ସୂତ୍ର ଅନୁସାରେ, ଏହି ଯବାନ କୋଲକାତାର ହେବେ ବୋଲି ଅନୁମାନ କରାଯାଉଛି, ଯଦିଓ ଏହାର ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ। ଅନ୍ୟପକ୍ଷରେ, ପାକିସ୍ତାନୀ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବିଭିନ୍ନ ଦାବି କରାଯାଉଛି। କେତେକ ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ଯବାନ ଜାଣିଶୁଣି ସୀମା ଅତିକ୍ରମ କରିଥିଲେ, ଯାହାକୁ ଭାରତୀୟ ସୂତ୍ର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

Related Articles

Back to top button