ବିଭିଆର ସୁବ୍ରମଣ୍ୟମ୍ ହେଲେ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। ୧୯୮୭ ମସିହାର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନର ସିଇଓ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ୍ ଆୟର ବର୍ତ୍ତମାନ ବିଶ୍ୱ ବ୍ୟାଙ୍କର ସିଇଓ ହେବା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମଙ୍କୁ ନୂଆ ନିଯୁକ୍ତି ମିଳିଛି। ସୋମବାର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛି। ସୁବ୍ରମଣ୍ୟମଙ୍କ ନିଯୁକ୍ତି ଅବଧି ୨ ବର୍ଷ ରଖିଛନ୍ତି ସରକାର।

ନୀତି ଆୟୋଗର ସିଇଓ ଭାବରେ କାର୍ଯ୍ୟ କରୁଥିବା ଆୟାରଙ୍କୁ ତିନି ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କର ମୁଖ୍ୟାଳୟ ଆମେରିକାର ୱାଶିଂଟନ୍ ଡିସିରେ ରହିଛି। ୧୯୮୭ ବ୍ୟାଚର ଆଇଏଏସ ସୁବ୍ରମଣ୍ୟମ୍ ଛତିଶଗଡ କ୍ୟାଡରର ଆଇଏଏସ ଅଧିକାରୀ। ସେ ବାଣିଜ୍ଯ ମନ୍ତ୍ରଣାଳୟରେ ଓଏସଡି ମଧ୍ୟ ରହିଛନ୍ତି। ସୁବ୍ରମଣ୍ୟମ୍ ୩୦ ଜୁନରେ ବାଣିଜ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୪ ଜୁନ୍ ୨୦୧୮ରେ ତାଙ୍କୁ ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ନକ୍ସଲମାନଙ୍କୁ ଧରିବା ଏବଂ ନକ୍ସଲଙ୍କ ଆଦର୍ଶକୁ ଶେଷ କରିବାରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ବିଭିଆର ସୁବ୍ରମଣ୍ୟମ ଛତିଶଗଡରେ ଗୃହ ବିଭାଗର ଦାୟିତ୍ୱ ପ୍ରାୟ ୩ ବର୍ଷ ଧରି ତୁଲାଇଛନ୍ତି।

ମନମୋହନ ସିଂଙ୍କ ସରକାରରେ ବିଭିଆର ସୁବ୍ରମଣ୍ୟମ ପିଏମଓରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେ ବର୍ଷେ ପିଏମଓରେ ସମାନ ସ୍ଥିତିରେ ରହିଥିଲେ। ହେଲେ ଡେପୁଟେସନ ଅବଧି ଶେଷ ହେବା ପରେ ସେ ତାଙ୍କ ହୋମ୍ କ୍ୟାଡର ଛତିଶଗଡକୁ ଫେରିଯାଇଥିଲେ।

Related Articles

Back to top button