ରାମନବମୀ ହିିଂସା ଘଟଣାର ଏନ୍ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ
କୋଲକାତା: ଚଳିତ ବର୍ଷ ରାମନବମୀରେ ପଶ୍ଚିମବଙ୍ଗର ହାୱଡ଼ା, ହୁଗୁଳି ଓ ଡାଲ୍କହୋଲାରେ ହୋଇଥିବା ହିଂସା ଘଟଣାର ଏନ୍ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ। ଗୁରୁବାର ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଏକ ଡିଭିଜନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ଦୁଇ ସପ୍ତାହ ଭିତରେ ସମସ୍ତ ତଦନ୍ତ ରିପୋର୍ଟ ଏନ୍ଆଇଏକୁ ଦେବାକୁ କୋର୍ଟ ତଦନ୍ତ କରୁଥିବା ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ କୋଲକାତା ପୁଲିସ ସମସ୍ତ ଏଫ୍ଆଇଆର୍, ସିସିଟିଭି ଫୁଟେଜ, ଆଦି ଦୁଇ ସପ୍ତାହ ଭିତରେ ଏନ୍ଆଇଏକୁ ଦେବ। କେନ୍ଦ୍ର ସରକାରଙ୍କ ଠାରୁ ଏନ୍ଓସି ମିଳିବା ପରେ ଏନ୍ଆଇଏ ତଦନ୍ତ ଆରମ୍ଭ କରିବ।
ଏହି ମାମଲାରେ ଏନ୍ଆଇଏ ତଦନ୍ତ କରାଇବାକୁ ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଗୁରୁବାର ଏହି ମାମଲାର ଶୁଣାଣି କରି କୋର୍ଟ ଏନ୍ଆଇଏ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ରାମନବମୀ ପାଳନ ବେଳେ ହାୱଡ଼ା ଠାରେ ଶୋଭାଯାତ୍ରାକୁ ଟେକାପଥର ମାଡ଼ କରାଯାଇଥିଲା। ଏଥିରେ ହିଂସା ସୃଷ୍ଟି ହୋଇଥିଲା। ବିରୋଧରେ ହଜାର ହଜାର ଲୋକ ଏକତ୍ରିତ ହୋଇ ଜୟ ଶ୍ରୀ ରାମ ନାରା ଦେଇଥିଲେ। ଦେଖୁ ଦେଖୁ ହିଂସା ଅନ୍ୟ ସ୍ଥାନମାନଙ୍କରେ ବି ବ୍ୟାପିଯାଇଥିଲା। ଦୋକାନ ବଜାରରେ ନିଆଁ ଲଗାଯିବା ସହ ଗୁଳି ବନ୍ଧୁକ ଫୁଟିଥିଲା। ମାମଲାରେ ଜାତୀୟମାନବାଧିକାର କମିଶନ ମଧ୍ୟ ହସ୍ତକ୍ଷେପ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।