ହିମାଚଳ ବିଧାନସଭା ନିର୍ବାଚନ ପ୍ରଚାର ସରିଲା,୧୨ରେ ଭୋଟ
ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାରସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ
ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ମତ ଦେବାପାଇଁ ପ୍ରୟାସ କରିଛନ୍ତି । ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା, ଅନୁରାଗ ସିଂ ଠାକୁର ଓ ସ୍ମୃତି ଇରାନୀ ପ୍ରମୁଖ ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ଏଥିସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜୟରାମ ଠାକୁର, ଯୋଗୀ ଆଦିତ୍ୟନାଥ, ପୁଷ୍କର ସିଂ ଧାମି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ୍କୁମାର ଧୁମଲ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।
ହିମାଚଳ ପ୍ରଦେଶରେ ପ୍ରତିଥର କ୍ଷମତା ପରିବର୍ତ୍ତନ ହେବାର ଧାରାକୁ ବିଜେପି ବଦଳାଇବା ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ଏଥର କ୍ଷମତାକୁ ଫେରିବା ପାଇଁ ଜୋର୍ଦାର ପ୍ରଚାର ଚଳାଇଛି । କଂଗ୍ରେସ ୬୮ଟି ଯାକ ବିଧାନସଭା ଆସନରେ ଆଜି ବିଜୟ ଆର୍ଶୀବାଦ ରାଲି ଆୟୋଜନ କରିଥିଲା । କଂଗ୍ରେସର ଜାତୀୟ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ସିଲାଇ ଓ ସିର୍ମୁରଠାରେ ପରିବର୍ତ୍ତନ ପ୍ରତିଜ୍ଞା ରାଲି ମାଧ୍ୟମରେ ପ୍ରଚାର କରିଥିଲେ ।
ଆସନ୍ତା ୧୨ ତାରିଖରେ ଗୋଟିଏ ପର୍ଯ୍ୟାୟରେ ୬୮ଟି ଯାକ ବିଧାନସଭା ଆସନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ଗଣତି କରାଯିବ ।