ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣା ଘଟଣା: ଗୁଜରାଟରେ ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କଲା ଆରପିଏଫ

ନୂଆଦିଲ୍ଲୀ: ନିକଟରେ ମୁମ୍ୱାଇ ଏବଂ ଗାନ୍ଧୀ ନଗର ମଧ୍ୟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନଟି ମଇଁଷି ଗୋଠ ସହ ଧକ୍କା ହୋଇଥିଲା । ଏହି ମାମଲାରେ ଏବେ ଆରପିଏଫ ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶୁକ୍ରବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପଶ୍ଚିମ ରେଲୱେ ପକ୍ଷରୁ ଜାରି ଏକ ବୟାନରେ କୁହାଯାଉଛି ଯେ, ମଇଁଷି ସହ ଧକ୍କା ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ରେନକୁ ମୁମ୍ୱାଇରେ ମରାମତି କରାଯାଇଛି ।

ପଶ୍ଚିମ ରେଲୱେର ବରିଷ୍ଠ ମୁଖପାତ୍ର ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି, ବନ୍ଦେ ଭାରତ ଟ୍ରେନ ରାସ୍ତାରେ ଆସିଥିବା ମଇଁଷି ଗୋଠର ଅଜ୍ଞାତ ମାଲିକଙ୍କ ବିରୋଧରେ ଅହମଦାବାଦରେ ଆରପିଏଫ ମାମଲା ରୁଜୁ କରିଛି । ଭଟଭା ରେଲୱେ ଷ୍ଟେସନରେ ନିୟୋଜିତ ଆରପିଏଫ ଇନସ୍ପେକ୍ଟର ପ୍ରଦୀପ ଶର୍ମା କହିଛନ୍ତି, ଟ୍ରେନ କ୍ଷତିଗ୍ରସ୍ତ ହେବା ସହ ଜଡିତ ରେଲୱେ ଅଧିନିୟମ ୧୯୮୯ର ଧାରା-୧୪୭ରେ ମାମଲା ରୁଜୁ କରାଯାଇଛି । ରେଲୱେ ବର୍ତ୍ତମାନ ସୁଦ୍ଧା ମଇଁଷି ଗୋଠର ମାଲିକଙ୍କୁ ଚିହ୍ନଟ କରିପାରି ନାହିଁ ।

ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମଇଁଷି ଗୋଠ ସହ ଧକ୍କା ଲାଗି ଟ୍ରେନର ସମ୍ମୁଖ ଭାଗ ନଷ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗର ଏବଂ ମୁମ୍ୱାଇ ମଧ୍ୟରେ ଚାଲୁଥିବା ଏହି ସେମି ହାଇ-ସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ନୂତନ ଏବଂ ଉନ୍ନତ ସଂସ୍କରଣ ଉଦଘଟାନ କରିଥିଲେ । ସେପ୍ଟେମ୍ୱର ୩୦ରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ସାରା ଦେଶରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ସେବାରେ ରହିଛି ।

Related Articles

Back to top button