ନିଟ୍ ୟୁଜି ପେପର ଲିକ୍ ମାମଲାରେ ସିବିଆଇ କଲା ଆଉ ଏକ ବଡ ଖୁଲାସା

ନିଟ୍ ୟୁଜି ପେପର ଲିକ୍ ମାମଲାରେ ସିବିଆଇର ବଡ ଖୁଲାସା। କିପରି ଅଧାପୋଡ଼ା ପ୍ରଶ୍ନପତ୍ର ଏହି ବଡ଼ ଧରଣର ସ୍କାମକୁ ପଦାକୁ ଆଣିଲା ସେନେଇ ପ୍ରଥମ ଥର ଲାଗି ଖୁଲାସା କରିଛି ସିବିଆଇ। ସିବିଆଇ କହିଛି ପ୍ରଥମ ଥର ଲାଗି ଗତ ମେ ୫ ତାରିଖରେ ଝାଡଖଣ୍ଡ ହଜାରିବାଗସ୍ଥିତ ଓଏସିସ ସ୍କୁଲରୁ ଏହି ପ୍ରଶ୍ନପତ୍ରର ସନ୍ଧାନ ମିଳିଥିଲା।ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ପଙ୍କଜ କୁମାର ଓରଫ ଆଦିତ୍ଯ ଓରଫ ସାହିଲକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ପରେ ସ୍କୁଲର ପ୍ରିନ୍ସପାଲ, ଭାଇସପ୍ରିନ୍ସପାଲ ଓ ଜଣେ ସହଯୋଗୀଙ୍କ ଭୂମିକା ପଦାକୁ ଆସିଥିଲା। ଟ୍ରଙ୍କରେ ଆସିଥିବା ପ୍ରଶ୍ନପତ୍ରକୁ ମେ ୫ ତାରିଖ ସକାଳେ ସ୍କୁଲରେ ରଖାଯାଇଥିଲା। ପ୍ରଶ୍ନପତ୍ର ପହଞ୍ଚିବା ପରେ ଟ୍ରଙ୍କ ଖୋଲିବା ଲାଗି ମାଷ୍ଟରମାଇଣ୍ଡଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସୁଯୋଗ ଦେଇଥିଲେ। ଟଙ୍କ ଖୋଲିବା ଲାଗି ସେମାନଙ୍କ ନିକଟରେ ଅତ୍ଯାଧୁନିକ ସରଞ୍ଜାମ ଥିଲା। ପ୍ରଶ୍ନପତ୍ରଗୁଡିକୁ କିଛି ଏମବିବିଏସ ଛାତ୍ର ଯାହାକୁ ସଲଭର ବୋଲି କୁହାଯାଉଥିଲା ସେମାନଙ୍କୁ ଦିଆଯାଇଥିଲା। ପରେ ଉତ୍ତର ଲେଖାଯାଇଥିବା ପ୍ରଶ୍ନପତ୍ରକୁ ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଘଟଣାରେ କେତେକ ସଲଭରଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୬ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ। ସେମାନଙ୍କ ମଧ୍ଯରୁ ବିହାରର ଅଛନ୍ତି ୧୫ ଜଣ।

Related Articles

Back to top button