
ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ପରିବାର ସଦସ୍ୟଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କଲା ସିବିଆଇ
ନୂଆଦିଲ୍ଲୀ: ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ପରିବାରର ସଦସ୍ୟମାନଙ୍କ ବିରୋଧରେ ‘ସିବିଆଇ’ ପୁଣି ତଦନ୍ତ ଆରମ୍ଭ କରିଛି। ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ ୟୁନାଇଟେଡ୍’ (ଜେଡିୟୁ) ସହିତ ମେଣ୍ଟ କରିବାର ମାତ୍ର କିଛି ମାସ ପରେ ‘ସିବିଆଇ’ ପୁନଃତଦନ୍ତ ଆରମ୍ଭ କରିବାରୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିହିତ କରାଯାଉଛି।
‘ଉପା-୧’ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ରେଳବାଇ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଉଠିଥିବା ବେଳେ ଏହି ଦୁର୍ନୀତି ମାମଲାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଥିଲା।
କିନ୍ତୁ, ଏହି ଅଭିଯୋଗ ଉପରେ କୌଣସି ମାମଲା କରାଯାଇ ନ ଥିବା କଥା ‘ସିବିଆଇ’ କହିଥିବା ଦର୍ଶାଇ ୨୦୨୧ ମେ’ରେ ତଦନ୍ତ ବନ୍ଦ କରି ଦିଆଯାଇଥିଲା। ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ, କନ୍ୟା ଚନ୍ଦା ଓ ରାଗିଣୀ ମଧ୍ୟ ଏହି ମାମଲାର ଅଭିଯୁକ୍ତ ଅଟନ୍ତି।
ଏହି ମାମଲାରେ ଅଭିଯୋଗ କରାଯାଇଛି କି, ଲାଲୁ ଯାଦବ ପ୍ରମୁଖ ରିୟଲ୍ ଇଷ୍ଟେଟ୍ ‘ଡିଏଲ୍ଏଫ୍ ଗ୍ରୁପ୍’ଠାରୁ ଲାଞ୍ଚ ଆକାରରେ ଦକ୍ଷିଣ ଦିଲ୍ଲୀରେ ଗୋଟିଏ ବଙ୍ଗଳା ଗ୍ରହଣ କରିଥିଲେ। ‘ଡିଏଲ୍ଏଫ୍ ଗ୍ରୁପ୍’ ମୁମ୍ବାଇର ବାନ୍ଦ୍ରାରେ ରେଳ ଜମି ଲିଜ୍ ପ୍ରକଳ୍ପ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ୍ ନବୀକରଣ କାର୍ଯ୍ୟ ନେବାକୁ ଆଗ୍ରହୀ ଥିଲା।ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ୭୩ ବର୍ଷିୟ ଲାଲୁ ଯାଦବ ସିଙ୍ଗାପୁରରେ କିଡ୍ନି ପ୍ରତିରୋପଣ କରି ଫେରିବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।