
ସିବିଆଇର ‘ଅପରେସନ ଚକ୍ର’, ମଙ୍ଗଳବାର ସାରା ଦେଶରେ ୧୦୫ଟି ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ: ମଙ୍ଗଳବାର ସାରା ଦେଶରେ ସିବିଆଇ ଚଢ଼ାଉ କରିଛି। ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସାଇବର ଅପରାଧ ରୋକିବାକୁ ଏହି ରେଡ୍ ହୋଇଛି। ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ସିବିଆଇ ଏହି ଚଢାଉ କରିଛି। ଦିଲ୍ଲୀ ସମେତ ରାଜସ୍ଥାନ, ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଏହି ଚଢାଉ ହୋଇଛି।
ଏହି ଅପରେସନର ନାମ ରହିଛି ‘ଅପରେସନ୍ ଚକ୍ର’। ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଫବିଆଇ) ଏବଂ ଇଣ୍ଟରପୋଲ ଦ୍ୱାରା ଅଂଶୀଦାର ହୋଇଥିବା ସୂଚନା ଆଧାରରେ ସିବିଆଇ ଏହି ସ୍ଥାନଗୁଡିକ ଉପରେ ଚଢ଼ାଉ କରିଛି। ସିବିଆଇ ଟିମ୍ ଦେଶର ୮୭ ଟି ସ୍ଥାନରେ ଚଢ଼ାଉ କରିଥିବାବେଳେ ରାଜ୍ୟ ପୋଲିସ ୧୮ ଟି ସ୍ଥାନରେ ସର୍ଚ୍ଚ ଅପରେସନ କରୁଛି।
ଦିଲ୍ଲୀର ପାଞ୍ଚଟି ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ପଞ୍ଜାବ, ଚଣ୍ଡିଗଡ଼, ରାଜସ୍ଥାନ, ଆସାମ ଏବଂ କର୍ଣ୍ଣାଟକରେ ମଧ୍ୟ ଚଢ଼ାଉ ଚାଲିଛି। ଏହି ଚଢାଉ ସମୟରେ ରାଜସ୍ଥାନର ରାଜସମନ୍ଦରେ ଏକ ନକଲି କଲ ସେଣ୍ଟର ଠାବ କରାଯାଇଛି। ଏହି କଲ୍ ସେଣ୍ଟରରୁ ୧ କିଲୋଗ୍ରାମରୁ ଅଧିକ ସୁନା ଏବଂ ୧.୫ କୋଟି ଟଙ୍କା ଜବତ କରାଯାଇଛି। ପୁଣେ ଏବଂ ଅହମ୍ମଦାବାଦର ଦୁଇଟି କଲ୍ ସେଣ୍ଟର ମଧ୍ୟ ଠାବ ହୋଇଛି। ସାଇବର ଅପରାଧ ସଂକ୍ରାନ୍ତୀୟ ବିଭିନ୍ନ ଡିଜିଟାଲ ପ୍ରମାଣ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିବା ସୂଚନା ରହିଛି।