ଜଳ ସମସ୍ୟାକୁ ଦୂର କରିବ ‘ଜଳଦୂତ ଆପ୍’

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ଯେତେ ବୃଦ୍ଧି ପାଉଛି, ସେତେ ପରିବେଶ ପ୍ରଦୂଷଣ ହେଉଛି। ବର୍ତ୍ତମାନ ପାନୀୟ ଜଳ ସଙ୍କଟ ମଧ୍ୟ ଲାଗି ରହିଛି। ଯାହା ଲାଗୁଛି ଆଗାମୀ ଭବିଷ୍ୟତରେ ଜଳ ସମସ୍ୟା ପାଇଁ ଚାଷ କ୍ଷେତ୍ରରେ ପାଣି ନିଅଣ୍ଟ ହୋଇଯିବ। ତେଣୁ ଏହି ଜଳ ସମସ୍ୟାକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଏକ ମୋବାଇଲ ଆପ୍ ବିକଶିତ କରିଛନ୍ତି। ଯାହା ଦ୍ୱାରା ଏକ ବଡ଼ ସମସ୍ୟାର ସମାଧାନ କରାଯାଇପାରିବ। କେନ୍ଦ୍ରୀୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ଆପ୍ ‘ଜଳଦୂତ’ (Jaldoot App) ଲଞ୍ଚ କରାଯାଇଛି। ଏହି ଆପ୍ ବର୍ଷକୁ ଦୁଇଥର ମୌସୁମୀ ପୂର୍ବରୁ ଏବଂ ପରେ ମନୋନୀତ କୂଅର ଜଳସ୍ତର ମାପିବାରେ ସକ୍ଷମ ହେବେ। ଏହା ଦ୍ୱାରା ଗ୍ରାମାବାସୀ ଭୂତଳ ଜଳକୁ ନଜରରେ ରଖି ସମସ୍ତ ପ୍ରକାର କାର୍ଯ୍ୟକୁ ଯୋଜନା ମୁତାବକ କରିପାରିବେ।

ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଫାଗାନ ସିଂ କୁଲାସ୍ତେ, ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ ମିଳିତ ଭାବେ ଏହି ଆପ୍ ଲଞ୍ଚ କରିଛନ୍ତି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗୋଟିଏ ଗାଁରେ ଦୁଇରୁ ତିନୋଟି ମନୋନୀତ କୂଅର ଜଳ ସ୍ତର ମାପିବା ପାଇଁ ଜଳଦୂତ ଆପ୍ ସାରା ଦେଶରେ ବ୍ୟବହୃତ ହୋଇପାରିବ।

ଜଳଦୂତ ଆପ୍ ପଞ୍ଚାୟତକୁ କୂଅର ଜଳସ୍ତର ସମ୍ପର୍କରେ ସଠିକ୍ ସୂଚନା ଏବଂ ତଥ୍ୟ ପ୍ରଦାନ କରିବ। ଏହି ସୂଚନା ଅନୁସାରେ ପଞ୍ଚୟାତର ପରବର୍ତ୍ତୀ କାର୍ଯ୍ୟର ଉନ୍ନତ ପାଇଁ ଯୋଜନା କରାଯାଇପାରିବ। ଏହି ଆପ୍ ର ତଥ୍ୟ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଏବଂ ମହାତ୍ମା ଗାନ୍ଧୀ (ମନରେଗା) ଯୋଜନାରେ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ତଥ୍ୟକୁ ବିଭିନ୍ନ ପ୍ରକାରର ଗବେଷଣା ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ।

ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୨୫୧ ଘନ କିଲୋମିଟର ଭୂତଳ ଜଳ ଉତ୍ତୋଳନ କରାଯାଉଛି। କିନ୍ତୁ ଏହା ସଠିକ୍ ଭାବେ ବ୍ୟବହୃତ ନହୋଇ ନଷ୍ଟ ହେଉଛି। ତେଣୁ ଦେଶରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦେଶର ଅନେକ ସ୍ଥାନରେ ଭୂତଳ ଜଳ ଶୀଘ୍ର ଶୁଖି ଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜଳଦୂତ ଆପ୍ ଲଞ୍ଚ କରିଛନ୍ତି।

Related Articles

Back to top button