୨୪ ବର୍ଷ ପରେ ଏମଡିଏମଏକୁ ଭାଙ୍ଗିଲେ କେନ୍ଦ୍ର ସରକାର, ଏବେ ସିବିଆଇ କରିବ ରାଜୀବ ଗାନ୍ଧୀ ହତ୍ୟା ମାମଲା ତଦନ୍ତ

ନୂଆଦିଲ୍ଳୀ :  ୨୪ ବର୍ଷ ପରେ ଏମଡିଏମଏକୁ ଭାଙ୍ଗିଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ହୋଇଥିବା ବ୍ୟାପକ ଷଡ଼ଯନ୍ତ୍ରର ଯାଞ୍ଚ ପାଇଁ ଗଠିତ ହୋଇଥିଲା ଏହି ମନିଟରିଂ ଏଜେନ୍ସି  (ଏମଡିଏମଏ) । ଏହି ସଂସ୍ଥା ସିବିଆଇ ଅନୁସାରେ କାମ କରୁଥିଲା ।  ଏଥିରେ ଅନେକ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି  ଅଧିକାରୀ ମଧ୍ୟ ସାମିଲ ଥିଲେ। ତେବେ ଏହି ଏଜେନ୍ସିକୁ ଭାଙ୍ଗିବା ପାଇଁ ମେ ମାସରେ ଆଦେଶ ଜାରି କରାଯାଇଥିଲା। ଏବେ ସିବିଆଇର  ଅନ୍ୟ ଏକ ୟୁନିଟ୍‌କୁ ଏହି ମାମଲା ହସ୍ତାନ୍ତର କରାଯାଇଛି।

୧୯୯୮ରେ ଏମସି ଜୈନ ଆୟୋଗଙ୍କ ସୁପାରିଶ କ୍ରମେ ଦୁଇ ବର୍ଷ ପାଇଁ ସ୍ଥାପିତ କରାଯାଇଥିଲା । ଏହାକୁ ପରେ ବିସ୍ତାର କରାଯାଇଥିଲା । କିନ୍ତୁ ଏହା କୌଣସି ବଡ଼ ସଫଳତା ହାସଲ କରିବାରେ ବିଫଳ ହୋଇଥିଲା। ଏଜେନ୍ସି ବ୍ୟାଙ୍କିଂ ନେଣଦେଣ ସହ ଜଡ଼ିତ ମାମଲାର ବିଭିନ୍ନ ଦିଗ ଉପରେ ତଥ୍ୟ ପାଇଁ ଶ୍ରୀଲଙ୍କା, ବ୍ରିଟେନ୍ ଏବଂ ମାଲେସିଆ ଭଳି ଦେଶକୁ ୨୪ଟି ଚିଠି ପଠାଇଥିଲେ।  ହେଲେ ୨୦ ରୁ ଅଧିକ ଚିଠିର ଉତ୍ତର ମିଳିଥିବା ବେଳେ ବାକି  କିଛି ପତ୍ରର ଉତ୍ତର ବାକି ରହିଛି। ତେବେ ଏମଡିଏମଏ ଭାଙ୍ଗିବା ପରେ ବାକି ଥିବା କିଛି ମାମଲାକୁ ସିବିଆଇ ନିରୀକ୍ଷଣ କରିବ। ଏବେ ସିବିଆର ଜଣେ ଉପମହା ନିର୍ଦ୍ଦେଶକଙ୍କୁ ଏହି ସମସ୍ତ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ୧୯୯୧ରେ ତାମିଲନାଡୁ ଶ୍ରୀପେରଙ୍ଗବୁଦୁରେ ଏକ ନିର୍ବାଚନୀ ରାଲି ସମୟରେ ତାଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା।

Related Articles

Back to top button