
ବୁଷ୍ଟର ଡୋଜ୍ ଭାବେ ‘କୋରବେଭାକ୍ସ’କୁ ମିଳିଲା ସରକାରଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ: ବାୟୋଲଜିକାଲ-ଇଙ୍କ କୋଭିଡ-୧୯ଭେକ୍ସିନ୍ କୋରବେଭାକ୍ସକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ଭାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରିବ। ଯେଉଁମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ କରିଛନ୍ତି ସେମାନେ ବୁଷ୍ଟରଡୋଜ ଭାବେ ଏହି କୋରବେଭାକ୍ସ ନେଇପାରିବେ ବୋଲି କୁହାଯାଇଛି। ଏବେ ଏହି ଡୋଜ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ସତର୍କତା ଡୋଜ ଭାବେ ଦିଆଯାଇପାରିବ।
ତେବେ ଭାରତରେ ପ୍ରଥମ ଥର ପ୍ରାଇମେରୀ ଭାକ୍ସିନେସନରେ ଦିଆଯାଇଥିବା ଟିକା ଡୋଜ ବଦଳେ ଅନ୍ୟ ଏକ ଟିକାକୁ ବୁଷ୍ଟରଡୋଜ ଭାବେ ମଞ୍ଜୁର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରଥମ ସ୍ୱଦେଶୀ ଆରବିଡି ପ୍ରୋଟିନ ସବୟୁନିଟ୍ ‘କୋର୍ବେଭାକ୍ସ’ ଟିକାକୁ ଦେଶରେ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣରେ ଉପଯୋଗ କରାଯାଉଛି। ଏହି ଟିକାର ମଞ୍ଜୁରୀ ଲାଗି ଜୁଲାଇ ୨୦ ତାରିଖ ଦିନ ହୋଇଥିବା ବୈଠକରେ କୋଭିସିଲ୍ଡ ଅଥବା କୋଭାକ୍ସିନର ଦୁଇଟି ଡୋଜ ନେଇଥିବା ୧୮ରୁ ୮୦ ବର୍ଷ ବୟସ୍କଙ୍କ ଲୋକଙ୍କୁ କୋର୍ବେଭାକ୍ସ ଟିକା ତୃତୀୟ ଡୋଜ ଭାବେ ଦିଆଯାଇପାରିବ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତରେ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜୁନ ୪ ତାରିଖ ଦିନ ୧୮ ବର୍ଷ ଅଥବା ଏହାଠୁ ଅଧିକ ଆୟୁବର୍ଗର ଲୋକଙ୍କୁ ତୃତୀୟ ଡୋଜ ଭାବେ କୋର୍ବେଭାକ୍ସ ଟିକାକରଣ ଲାଗି ଅନୁମତି ଦେଇଛନ୍ତି। ବାୟୋଲଜିକାଲ-ଇ ଡିସିଜିଆଇଙ୍କ ନିକଟରେ ତାଙ୍କର ପରୀକ୍ଷଣ ତଥ୍ୟ ଉପସ୍ଥାପନ କରିଥିଲେ। ହେଟ୍ରୋଲୋଗସ୍ ବିଶେଷଜ୍ଞ କମିଟିଙ୍କ ବିସ୍ତୃତ ବିଚାରବିମର୍ଷ ଓ ମୂଲ୍ୟାୟନ ପରେ ଟିକା ଲାଗି ସେମାନଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି।