![](https://abhigam.com/wp-content/uploads/2024/12/Screenshot_2024-12-03-19-52-05-75_680d03679600f7af0b4c700c6b270fe7.jpg)
ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଆଇନ ଯାଚିକାର ଶୁଣାଣିରୁ ନିଜକୁ ଦୂରେଇ ରଖିଲେ ସିଜେଆଇ
ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୋଗ ଓ ଅନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ସଂପର୍କିତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଯାଚିକାର ଶୁଣାଣିରୁ ନିଜକୁ ଦୂରେଇ ନେଇଛନ୍ତି। ସିଜେଆଇ ସଞ୍ଜୀବ ଖନ୍ନା ଓ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଯାଚିକା ଉପରେ ଶୁଣାଣି କରୁଥିଲେ। ଏଥିରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ଅନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି, ସେବା ଓ କାର୍ଯ୍ୟକାଳର ଅଧିନିୟମ ୨୦୨୩ର ଧାରା ୭ ଓ ୮ର ସାମ୍ବିଧାନିକକୁ ଚ୍ୟାଲେଞ୍ଜ କରାଯାଇଛି। ପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ଯାଚିକାକୁ ୨୦୨୫ ଜାନୁଆରୀ ୬ରୁ ଆରମ୍ଭ ହେଉଥିବା ସପ୍ତାହରେ କୌଣସି ଅନ୍ୟ ପୀଠ ସାମ୍ନାରେ ସୂଚୀବଦ୍ଧ କରାଯାଉ। ଏଥିସହ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଏହି ଯାଚିକା ଉପରେ ନିଜର ପକ୍ଷ ରଖିବାକୁ ଆଦେଶ ଦେଇଛନ୍ତି। କିନ୍ତୁ ଏହି ମାମଲାର ଶୁଣାଣିରୁ ସିଜେଆଇ ସଞ୍ଜୀବ ଖନ୍ନା ଓହରି ଯାଇଛନ୍ତି। ମାମଲାର ଶୁଣାଣିର ଆରମ୍ଭରେ ବିଚାରପତି ସଞ୍ଜୟ କୁମାରଙ୍କ ସହିତ ପୀଠରେ ସାମିଲ ପ୍ରଧାନ ବିଚାରପତି ଜନସ୍ଵାର୍ଥ ମାମଲା ଦାୟର କରିଥିବା ଓକିଲଙ୍କୁ କହିଛନ୍ତି ଯେ, ସେ ଯାଚିକା ଉପରେ ଶୁଣାଣି କରି ପାରିବେ ନାହିଁ। ତେଣୁ ଅନ୍ୟ ପୀଠରେ ଏହାର ଶୁଣାଣି କରାଯାଉ।
ନୂତନ ଆଇନ ଆଧାରରେ ମୁଖ୍ୟ ନିର୍ବାଚନ ଓ ଅନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପାଇଁ ପ୍ରଧାନ ବିଚାରପତିଙ୍କୁ କମିଟିରୁ ହଟାଇ ଦିଆଯାଇଛି। ଏବେ ନିଯୁକ୍ତି କମିଟିରେ ସଦସ୍ୟ ଭାବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ୍ ମନ୍ତ୍ରୀ ଓ ବିରୋଧୀ ଦଳର ନେତା ରହିଛନ୍ତି। ଏହା ପୂର୍ବରୁ ବିଚାରପତି ସଞ୍ଜୀବ ଖନ୍ନା ଓ ବିଚାରପତି ଦୀପାଙ୍କର ଦତ୍ତଙ୍କ ପୀଠ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଆଇନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ।