କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର, ମାଈ ଚିତା ଆଶା ଗର୍ଭବତୀ

ଭୋପାଳ: ପ୍ରୋଜେକ୍ଟ ଚିତା ଅଧୀନରେ ନାମିବିଆ (Namibia) ରୁ ଭାରତକୁ ଚିତା ବାଘ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସେମାନଙ୍କୁ ଉଦ୍ୟାନରେ ଛଡ଼ାଯାଇଥିବା ବେଳେ ଆଜି ଆସିଛି ଖୁସି ଖବର । ମୋଦି ଯେଉଁ ମାଈ ଚିତାର ନାମ ‘ଆଶା’ ରଖିଥିଲେ ସେ ଖୁବଶୀଘ୍ର ସନ୍ତାନକୁ ଜନ୍ମ ଦେବାକୁ ଯାଉଛି। ଏହି ଚିତା ଗର୍ଭବତୀ ଥିବା ଜଣାପଡିଛି । ଏହି ଖୁସି ଖବର ଆସିବା ପରେ ମଧ୍ୟପ୍ରଦେଶରେ ଚିତା ସୁରକ୍ଷିତ ବୋଲି ଆଶା କରାଯାଇଛି ।

ମଧ୍ୟପ୍ରଦେଶ ଆଗାମୀ ଦିନରେ ଚିତା ଜନସଂଖ୍ୟାର ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ତେବେ କୁନୋ ଅଭୟାରଣ୍ୟର ଅଧିକାରୀମାନେ ଏ ବିଷୟରେ କିଛି କହିବାକୁ ମନା କରୁଛନ୍ତି । ନାମିବିଆ ଚିତା ଫମ୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲୋରୀ ମାର୍କର କହିଛନ୍ତି ଯେ ‘ଆଶା’ ଜଙ୍ଗଲରୁ ଆସିଛି, ତେଣୁ ସେ ଗର୍ଭବତୀ ଥାଇପାରେ । ଏହା ନାମିବ୍ୟାରୁ ହୋଇଥାଇପାରେ ବୋଲି କହିଛନ୍ତି ସେ ।

ଚିତା ଆଶାର ଗର୍ଭବତୀ ଥିବାକୁ ନେଇ କୁନୋ ଅଧିକାରୀ କହିଛନ୍ତି, “ଗତ ତିନି ବର୍ଷ ଧରି ବୟସ୍କା ଆଶା ନାମିବିଆର ପ୍ରାକୃତିକ ବନ୍ୟ ପରିବେଶରେ ରହୁଥିଲା । ଏଣୁ ସେ ଗର୍ଭବତୀ ହୋଇପାରିଥାଏ ଏବଂ ଏହା ଭାରତ ପାଇଁ ଏକ ଉପହାର । ସେ କହିଛନ୍ତି ଆଶା ଠାରେ ଅନେକ ପ୍ରକାରର ଶାରୀରିକ ଏବଂ ହରମୋନାଲ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ପରିବର୍ତ୍ତନଗୁଡ଼ିକ ଗର୍ଭବତୀ ମହିଳା ଚିତା ସହିତ ସମାନ ।

ଆଶା ଗର୍ଭବତୀ ହେବା ପରେ ତା ସ୍ବାସ୍ଥ୍ୟ ପ୍ରତି ଦଳ ଅଧିକ ସତର୍କ ହୋଇପଡିଛି । ଜାତୀୟ ଉଦ୍ୟାନର ଅଧିକାରୀ କହିଛନ୍ତି ଯେ ଆଶା ଯଦି ଗର୍ଭବତୀ ତେବେ ଏହା ତାର ପ୍ରଥମ ଥର ଏବଂ ତାର ଖାଦ୍ୟ ଏବଂ ପାନୀୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହେବା ଉଚିତ । ତଥାପି ସେ ଗର୍ଭବତୀ କି ନାହିଁ ତାହା ସୁନିଶ୍ଚିତ ହେବା ଲାଗି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏଥିଲାଗି କୁନୋ ଅଭୟାରଣ୍ୟରେ ଆଶା ଏବଂ ତାର ଖାଦ୍ୟପାନୀୟର ବିଶେଷ ମନିଟରିଂ କରାଯାଉଛି ।

ସୂଚନା ଥାଉ କି ୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ବାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମିବ୍ୟାରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଚିତା ଛଡାଯିବା ଦ୍ବାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ ।

Related Articles

Back to top button