ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ଥାନାରେ ଏତଲା

ନୂଆଦିଲ୍ଲୀ: ନିଜ ପୂର୍ବଜଙ୍କୁ ବୌଦ୍ଧ ଧର୍ମାବଲମ୍ବୀ କହୁଥିବା ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହରେ ସେ ଯୋଗ ଦେବା ପରେ ତାଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ ଓ ୧୫୩ବି ଅନୁସାରେ ସଂସଦ ମାର୍ଗ ଥାନାରେ ଏତଲା ଦେଇଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ଏହାସହିତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଗିରଫଦାରୀ ପାଇଁ ସେ ଦାବି କରିଛନ୍ତି ।

ଦିଲ୍ଲୀ ବିଜେପିର କହିବାନୁସାରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଧର୍ମ ପରିବର୍ତ୍ତନ ହେବା ଦ୍ବାରା ଏହା ସମାଜ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇପାରେ । ଏହା ଅସାମାଜିକ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ । ସମାଜରେ ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ଲାଗି ମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଦାବି କରିଛନ୍ତି । ଧର୍ମ ପରିବର୍ତ୍ତନକୁ ନେଇ ମନ୍ତ୍ରୀ ଗୌତମ ପୂର୍ବରୁ ମଧ୍ୟ ବିବାଦରେ ଫସିଛନ୍ତି । ଗତ ୨୦୨୦ ଅକ୍ଟୋବର ଗାଜିଆବାଦରେ ଧର୍ମ ପରିବର୍ତ୍ତନ ମାମଲାରେ ମନ୍ତ୍ରୀ କହିଥିଲେ, ” ଏହା ଧର୍ମ ପରିବର୍ତ୍ତନ ନୁହେଁ, ବରଂ ଘର ୱାପସୀ ବା ଘରକୁ ଫେରିବା ପ୍ରକ୍ରିୟା । ସେମାନେ ନିଜ ସମାଜକୁ ହିଁ ଫେରୁଛନ୍ତି ।”

ସେ ଆହୁରି କହିଥିଲେ ଯେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ବୃହତ ଥିଲା । ଏହାକୁ ବିଲୋପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ବୌଦ୍ଧ ମଠଗୁଡ଼ିକୁ ଭଙ୍ଗା ଯାଇଥିଲା । ନିଜର ପୂର୍ବଜ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ସେ ସମ୍ପର୍କରେ ଲୋକ ଜାଣିବା ପରେ ପୁଣି ଧର୍ମ ପରିବର୍ତ୍ତନ କରୁଛନ୍ତି । ଏପରି ମନ୍ତବ୍ୟ ଦେଇ ମନ୍ତ୍ରୀ ଗୌତମ ବିବାଦରେ ଫସିଥିଲେ । ତେବେ ଏବେ ଧର୍ମ ପରିବର୍ତ୍ତନ ସମାରୋହରେ ଯୋଗ ଦେବା ପରେ ତାଙ୍କ ବିରୋଧରେ ଥାନାରେ ଏତଲା ହୋଇଛି ।

କଣ ମାମଲା ?

ଦିଲ୍ଲୀର ମଧ୍ୟ ଜିଲ୍ଲାରେ ଥିବା ଆମ୍ବେଦକର ଭବନରୁ ଏକ ଭିଡ଼ିଓ ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓରେ କିଛି ଲୋକ ଧର୍ମ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଧର୍ମ ପରିବର୍ତ୍ତନ କରୁଥିବା ଲୋକେ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଛନ୍ତି । ଦାବି କରାଯାଉଛି କି ଭିଡ଼ିଓରେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ମଧ୍ୟରେ ମନ୍ତ୍ରୀ ଗୌତମ ମଧ୍ୟ ସାମିଲ ରହିଛନ୍ତି ।

ରାଜେନ୍ଦ୍ର ପାଲ ଗୌତମ କିଏ ?

ରାଜେନ୍ଦ୍ର ପାଲ ଗୌତମ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ଥିବା ବେଳେ ତାଙ୍କ ନିକଟରେ ସମାଜ କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି, ସହକାରୀ ସମିତିର ରେଜିଷ୍ଟ୍ରାର ବିଭାଗ ରହିଛି । ସେ ପୂର୍ବ ଦିଲ୍ଲୀର ସିମାପୁରୀ ବିଧାନସଭାର ଜଣେ ବିଧାୟକ। ରାଜନୀତିରେ ଯୋଗଦେବା ପୂର୍ବରୁ ଗୌତମ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୪ରେ ଗୌତମ ଆମ୍ ଆଦମୀ ପାର୍ଟି (AAP)ରେ ଯୋଗ ଦେଇଥିଲେ । ସିମାପୁରୀ ନିର୍ବାଚନମଣ୍ଡଳୀରୁ ୪୮ ହଜାର ୮୮୫ ଭୋଟ ବ୍ୟବଧାନରେ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ପ୍ରାରମ୍ଭରୁ ଧର୍ମ ପରିବର୍ତ୍ତନ ଉପରେ ଓକିଲାତି କରିଆସୁଛନ୍ତି ।

Related Articles

Back to top button