ଶରଦ ପୱାରଙ୍କୁ ନେଇ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ମଧ୍ୟରେ ଉଦ୍‌ବେଗ

ନୂଆଦିଲ୍ଲୀ : ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ନେଇ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଦ୍‌ବେଗର କାରଣ ହେଉଛି ଅଗଷ୍ଟ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶରଦ ପୱାର ଗୋଟିଏ ମଞ୍ଚରେ ଏକାଠି ହେବେ। ଲୋକମାନ୍ୟ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶରଦ ପୱାର ଯୋଗ ଦେବେ। ତେଣୁ ଗୋଟିଏ ମଞ୍ଚରେ ମୋଦୀ ଓ ପୱାର ଏକାଠି ହେବେ। ମୋଦୀ ଓ ପୱାର ଏକାଠି ହେବାକୁ ବିରୋଧୀ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ହୋହଲ୍ଲା ଚଳାଇଛନ୍ତି। ଏହା ସହିତ ୨୦୨୪ ନିର୍ବାଚନରେ ମୋଦୀଙ୍କ ବିଜୟ ଅଭିଯାନକୁ ରୋକିବାକୁ ବିରୋଧୀ ଦଳଗୁଡିକ ଏକଜୁଟ ହୋଇ ରଣନୀତି ଚଳାଇଛନ୍ତି। ଏପରିସ୍ଥିତିରେ ମୋଦୀଙ୍କ ସହିତ ପୱାର ଗୋଟିଏ ମଞ୍ଚରେ ଏକାଠି ହେବାକୁ ବିରୋଧୀ ନେତାମାନେ ନାପସନ୍ଦ କରିଛନ୍ତି। ଏପରି କି ପୱାରଙ୍କୁ ଅଗଷ୍ଟ ୧ ଉତ୍ସବରୁ ଦୂରେଇ ରହିବା ଲାଗି ପ୍ରସ୍ତାବ ଦିଆଯାଇଛି। କଂଗ୍ରେସ ସଭପତି ମଲ୍ଲିକାର୍ଜୁନ ଖଡଗେ କିମ୍ବା ଅନ୍ୟ କୌଣସି ନେତା ପୱାରଙ୍କ ସହିତ କଥା ହୋଇ ଉତ୍ସବରୁ ଦୂରେଇ ରହିବା ଲାଗି ପରାମର୍ଶ ଦେବାକୁ ଅନେକ ନେତା ପ୍ରସ୍ତାବ ଦେଇଛନ୍ତି। କେବଳ ମଣିପୁର ପ୍ରସଙ୍ଗ ନୁହେଁ ଦିଲ୍ଲୀ ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରୋଧୀ ଦଳଗୁଡିକ କ୍ଷୁବ୍ଧ ହୋଇଛନ୍ତି। ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ନିର୍ବାଚିତ ସରକାରର କ୍ଷମତାକୁ ନିୟନ୍ତ୍ରଣ କରିବା ଲାଗି ସରକାର ଅଧ୍ୟାଦେଶ ଆଣିଛନ୍ତି। କେନ୍ଦ୍ର ସରକାର ଅଧ୍ୟାଦେଶ ସପକ୍ଷରେ ସଂସଦରେ ବିଧେୟକ ଆଗତ କରିବାକୁ ଯାଉଥିବାବେଳେ ଏହାକୁ ସଂସଦରେ ଗୃହୀତ କରାଇ ନଦେବାକୁ ବିରୋଧୀ ଦଳଗୁଡିକ ଏକଜୁଟ୍ ହୋଇଛନ୍ତି। ଏପରି ଏକତା ମଧ୍ୟରେ ପୱାର-ମୋଦୀଙ୍କ ଏକାଠି ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି।

Related Articles

Back to top button