ପାଞ୍ଚ ବର୍ଷରେ ୭୦୦ ଯବାନଙ୍କ ଆତ୍ମହତ୍ୟା
କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଗତ ୫ ବର୍ଷ ମଧ୍ୟରେ ସେଣ୍ଟ୍ରାଲ ଆର୍ମ୍ଡ ପୁଲିସ ଫୋର୍ସ (ସିଏପିଏଫ), ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) ଏବଂ ଆସାମ ରାଇଫଲ (ଏଆର)ର ପ୍ରାୟ ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ଏହି ଅବଧି ମଧ୍ୟରେ ୫୫,୫୫୫ ଯବାନ ଚାକିରିରୁ ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ବୁଧବାର ଏହି ସୂଚନା ଦେଇଛନ୍ତି। ସେ ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ ୨୦୨୦ରେ ସିଏପିଏଫ, ଏନ୍ଏସ୍ଜି ଏବଂ ଏଆରରେ ୧୪୪ ଜଣ, ୨୦୨୧ରେ ୧୫୭, ୨୦୨୨ରେ ୧୩୮, ୨୦୨୩ରେ ୧୫୭ଏବଂ ୨୦୨୪ରେ ୧୨୪ ଯବାନ ଆତ୍ମହତ୍ୟା କରିଛନ୍ତି। ସେହିପରି ୪୭, ୮୯୧ ଯବାନ ସ୍ବେଚ୍ଛାକୃତ ଅବସର ନେଇଥିବାବେଳେ ୭, ୬୬୪ ଜଣ ଚାକିରିରୁ ଇସ୍ତଫା ଦେଇଛନ୍ତି। ଯବାନଙ୍କ ଆତ୍ମହତ୍ୟା ପଛରେ ପାରିବାରିକ ସମସ୍ୟା ଏବଂ କାର୍ଯ୍ୟଚାପ ସାମିଲ ରହିଛି। ଏହାର କାରଣ ଜାଣିବା ପାଇଁ ଗଠିତ କମିଟିରୁ ରିପୋର୍ଟ ଜଣାପଡ଼ିଛି ଯେ ପ୍ରାୟ ୮୦ ପ୍ରତିଶତ ଯବାନ ଛୁଟିରୁ ଫେରିବା ପରେ ଆତ୍ମହତ୍ୟା କରିଥିଲେ। ଏହା ପଛରେ ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କ ମୃତ୍ୟୁ, ବିବାଦ କିମ୍ବା ଛାଡ଼ପତ୍ର, ଆର୍ଥିକ ସମସ୍ୟା ଏବଂ ଶିକ୍ଷାକ୍ଷେତ୍ରରେ ପିଲାମାନଙ୍କୁ ସମାନ ସୁବିଧା ନ ମିଳିବା ସମସ୍ୟା ସାମିଲ ରହିଛି।ଏଭଳି ସ୍ଥିତିର ମୁକାବିଲା ପାଇଁ ଯବାନଙ୍କୁ ପରିବାର ସହ ଅଧିକରୁ ଅଧିକ ସମୟ ବିତାଇବା ପାଇଁ ସୁବିଧା ଦେବାକୁ ସୁନିଶ୍ଚିତ କରାଯାଉଛି। ଯବାନଙ୍କୁ ଶହେ ଦିନରୁ ଛୁଟି ଦିଆଯାଉଛି। ୪୨, ୭୯୭ ଯବାନ ଏହି ଛୁଟି ନୀତିର ଲାଭ ଉଠାଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୬, ୩୦୨ କର୍ମଚାରୀ ନିଜ ପରିବାର ସହ ଶହେ ଦିନ ସମୟ ବିତାଇଛନ୍ତି। ୨୦୨୩ରେ ଏହି ସଂଖ୍ୟା ୮, ୬୩୬ ଏବଂ ୨୦୨୧ରେ ୭, ୮୬୪ ଥିଲା।