କଂଗ୍ରେସ ସଭାପତି ନିର୍ବାଚନ ଲାଗି ସୋମବାର ଭୋଟିଂ

ନୂଆଦିଲ୍ଲୀ: ରାତି ପାହିଲେ କଂଗ୍ରେସ ସଭାପତି ନିର୍ବାଚନ। ଏଥି ଲାଗି ପ୍ରାର୍ଥୀ ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡଗେ ସେମାନଙ୍କ ସପକ୍ଷରେ ଭୋଟ ଲାଗି ଡେଲିଗେଟ୍‌ସଙ୍କୁ ନିବେଦନ କରିଛନ୍ତି। ନିର୍ବାଚନରେ କଂଗ୍ରେସର ଅନେକ ଦିଗ୍ଗଜ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସମର୍ଥନ କରୁଛନ୍ତି। ତେବେ ଥରୁର ଯୁବ ନେତାଙ୍କ ଭୋଟରେ ଯିତିବେ ବୋଲି ଆଶା ବାନ୍ଧିଛନ୍ତି। ୧୭ ଅକ୍ଟୋବର ସୋମବାର ନିର୍ବାଚନ ଲାଗି ସୋନିଆ ଗାନ୍ଧି ରବିବାର ସିମଲାରୁ ଦିଲ୍ଲୀ ଫେରିଛନ୍ତି। ତେବେ ନିର୍ବାଚନରେ ସେ କାହାକୁ ସମର୍ଥନ କରିବେ ତାହା ପାର୍ଟି ଏପର୍ଯ୍ୟନ୍ତ ସୂଚିତ କରି ନାହିଁ।

କଂଗ୍ରେସ ପାର୍ଟିର ୧୩୭ ବର୍ଷ ଇତିହାସରେ ଷଷ୍ଠ ଥର ସଭାପତି ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନର ଫଳାଫଳ ୨୪ ବର୍ଷ ପରେ ଗାନ୍ଧି ପରିବାର ବାହାରୁ ଜଣେ ନେତାଙ୍କ ହାତରେ ଦଳର ଭାଗ୍ୟଡୋରୀ ଦେବ। ଏଣୁ ଦଳର ସଭାପତି ହେବା ପାଇଁ ଦୁଇ ପ୍ରାର୍ଥୀ ରାଜ୍ୟରୁ ରାଜ୍ୟ ବୁଲି ଡେଲିଗେଟସ୍‌ଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଉଦ୍ୟମ କରିଛନ୍ତି। ୯ ହାଜରରୁ ଅଧିକ ଡେଲିଗେଟସ୍‌ ଚୟନ କରିବେ କଂଗ୍ରେସର ଆଗାମୀ ସଭାପତିଙ୍କୁ।

ତେବେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଶଶି ଥରୁର ଦଳର ଯୁବ ସଦସ୍ୟ ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି।  ହେଲେ ବରିଷ୍ଠ ନେତାମାନେ ଅନ୍ୟତମ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ସମର୍ଥନ କରୁଛନ୍ତି। ଥରୁର କହିଛନ୍ତି ଯେ ଆମେ ପରିବର୍ତ୍ତନର କଥା କହୁଛୁ ହେଲେ ଦଳର ବରିଷ୍ଠ ନେତାମାନେ ଏବେବି ଯଥାସ୍ଥିତିରେ ରହିବାକୁ ଚାହୁଁଛନ୍ତି। ଏଣୁ ସେମାନେ ଖଡଗେଙ୍କୁ ସମର୍ଥନ କରୁଥିବା ଥରୁର କହିଛନ୍ତି। ଖାସ ଏଥି ପାଇଁ ପାର୍ଟିର କିଛି ପଦାଧିକାରୀ ଖଡଗେଙ୍କ ଲାଗି ପ୍ରଚାର କରୁଥିବାର ମଧ୍ୟ ଥରୁର କହିଛନ୍ତି। ତେବେ ନିର୍ବାଚନ ଗୁପ୍ତ ଭୋଟ ମାଧ୍ୟମରେ ହେବ। ଏଣୁ ପାର୍ଟିର ବରିଷ୍ଠ ନେତାଙ୍କ ଭୋଟର ମୂଲ୍ୟ ଯୁବ ସଦସ୍ୟଙ୍କ ଭୋଟ ମୂଲ୍ୟ ସହ ସମାନ ହେବ ବୋଲି ଥରୁର କହିଛନ୍ତି।

କଂଗ୍ରେସ ସଭାପତି ପଦ ନିମନ୍ତେ ଦୁଇ ଆଶାୟୀ ନିଜ ସମର୍ଥନରେ ସାରା ଦେଶରେ ପ୍ରଚାର କରିଛନ୍ତି। ତେବେ ଗତମାସରେ ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ସଂକଟ ଯୋଗୁ ସେଠାରେ ନିର୍ବାଚନ ପ୍ରଚାର କରି ନାହାନ୍ତି। ହେଲେ ରାଜସ୍ଥାନ କଂଗ୍ରେସର ୪୧୩ ଡେଲିଗେଟସ୍‌ଙ୍କୁ ଦୁଇ ପ୍ରାର୍ଥୀ ଏସଏମଏସ୍‌ ପଠାଇ ନିଜ ଲାଗି ଭୋଟ ମାଗିଥିବା ଜଣାପଡିଛି। ସେହିପରି ଦୁଇ ନେତା ଦିନକୁ ଡେଲିଗେଟସଙ୍କୁ ୪ରୁ ୫ କଲ କରୁଥିବାର କହିଛନ୍ତି।

Related Articles

Back to top button