
ମହିଳାଙ୍କ ପୋଷାକ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିବା ସହ କ୍ଷମା ମାଗିଲେ ବାବା ରାମଦେବ
ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କ ଉପରେ ନିଜର ବିବାଦୀୟ ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିବା ସହ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମହିଳାଙ୍କ ଉପରେ ସେ କରିଥିବା ଟିପ୍ପଣୀକୁ ଭୁଲ୍ ଭାବେ ଉପସ୍ଥାପନ କରାଗଲା। ଗତ ସପ୍ତାହରେ ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ କହିଥିଲେ ଯେ, ମହିଳାମାନେ ଶାଢୀରେ ଭଲ ଲାଗନ୍ତି, ସେମାନେ ସଲଓ୍ଵାର ସୁଟ୍ରେ ବି ଭଲ ଦିଶନ୍ତି ଏବଂ ମୋ ବିଚାରରେ ସେମାନେ କିଛି ପିନ୍ଧିନଥିଲେ ବି ଆହୁରି ଭଲ ଦେଖା ଯାଆନ୍ତି।
ରାମଦେବଙ୍କ ଏମିତି ଆଶାଳୀନ ଟିପ୍ପଣୀରେ ରାଜ୍ୟରେ ନୂତନ ବିବାଦ ସୃଷ୍ଟି ହୋଇଥିଲା। ନିଜର ପରବର୍ତ୍ତୀ କାର୍ଯ୍ୟକ୍ରମରେ ତାଙ୍କୁ ଧମକ ଚମକ ଦିଆଯାଇଥିଲା। ଅନ୍ୟପକ୍ଷେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ(ଏମଏସସିଡବ୍ଲ୍ୟୁ)ର ଅଧ୍ୟକ୍ଷା ରୂପାଲୀ ଚାକଣକରଙ୍କୁ ସମୟ ସୀମା ଭିତରେ ଜବାବ ଦେଇ ବାବା ରାମଦେବ ଯୁକ୍ତି ବାଢି କହିଛନ୍ତି ଯେ, ସେ ରାଜ୍ୟ ପ୍ୟାନେଲରେ କୌଣସି ନିୟମର ଉଲ୍ଲଂଘନ କରି ନାହାନ୍ତି। ସେ ସର୍ବଦା ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ସମ୍ମାନ ଦେଇ ଆସିଛନ୍ତି। ମହିଳାଙ୍କ ସମାନତା ଅଧିକାର ପାଇଁ ସେ ବିଶ୍ଵ ସ୍ତରରେ ଅଭିଯାନ ଚଲାଇଛନ୍ତି। ଏମଏସସିଡବ୍ଲ୍ୟୁର ଅଧ୍ୟକ୍ଷ କହିଛନ୍ତି, ଆୟୋଗଙ୍କ ନୋଟିସ୍ ଉପରେ ରାମଦେବଙ୍କ ଜବାବ ମିଳି ଯାଇଛି। ଯଦି ଆଉ କିଛି ଆପତ୍ତି ଏବଂ ଅଭିଯୋଗ ରହିଛି ତେବ ଆୟୋଗ ଏହାର ପୂରା ତଦନ୍ତ କରିବ।
ବାବା ରାମଦେବ କହିଛନ୍ତି, ମୁଁ ‘ବେଟି ବଚାଓ, ବେଟି ପଢାଓ’ ପରି ସରକାରଙ୍କ ବିଭିନ୍ନ ନୀତିର ସମର୍ଥନ କରି ଆସିଛି। ଏହାର ପ୍ରୋତ୍ସାହନ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ସଂଗଠନ ସହ ମିଶି କାମ କରିଛି। ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ମୁଁ କୌଣସି ମହିଳାଙ୍କ ଅପମାନ କରି ନାହିଁ ଏବଂ ନା ଏମିତି କରିବା ମୋର କୌଣସି ଉଦ୍ଦେଶ୍ୟ ଥିଲା। ତାଙ୍କ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଥିମ ଉପରେ ଆଧାରିତ ଥିଲା। କାର୍ଯ୍ୟକ୍ରମରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଭାଷଣରେ ସେ ମହିଳାଙ୍କ ପକ୍ଷରେ ବହୁତ କଥା କହିଛନ୍ତି। ମାତ୍ର ତାଙ୍କର କିଛି ସେକେଣ୍ଡ ଟିପ୍ପଣୀକୁ ଭୁଲ୍ ଭାବେ ଦର୍ଶାଗଲା।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଥାନେରେ ମହିଳାଙ୍କ ପାଇଁ ପତଞ୍ଜଳି ଦ୍ଵାରା ମାଗଣା ଯୋଗ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଥାନେର ସାଂସଦ ଶ୍ରୀକାନ୍ତ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ପତ୍ନୀ ଅମୃତା ଫଡଣବିସ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ସମୟରେ ବାବା ରାମଦେବ ଉପରୋକ୍ତ ବିବାଦୀୟ ଟିପ୍ପଣୀ କରିଛନ୍ତି।