ରାବଡିଙ୍କୁ ୪ ଘଣ୍ଟା ସିବିଆଇ ଜେରା, ଆଜି ହାଜର ହେବେ ଲାଲୁ
ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ (କେନ୍ଦ୍ରୀୟ ତଦନ୍ତକାରୀ ଦଳ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ଜେରା କରିଛି। ସକାଳେ ସିବିଆଇ ଅଧିକାରୀମାନେ ୪ଟି ଗାଡ଼ିରେ ଆସି ରାବଡି ଦେବୀଙ୍କ ବାସଭବନରେ ପହଞ୍ଚି ୪ ଘଣ୍ଟା ପଚରାଉଚରା କରିଛି। ତେବେ ରାବଡି ଦେବୀଙ୍କ ବାସଭବନରେ କୌଣସି ପ୍ରକାର ଚଢ଼ଉ ହୋଇନି। ସିବିଆଇ ଏହି ମାମଲାରେ ପୂର୍ବରୁ ଚାର୍ଜସିଟ୍ ଦାଖଲ କରି ସାରିଛି ।
ସିବିଆଇ ମଧ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏହା ମାମଲାରେ ଜେରା କରିବା। ସିବିଆଇ ଅନୁଯାୟୀ ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ। ସେ ରେଳବାଇରେ ଗ୍ରୁପ୍ ଡି ଚାକିରି ଦେବାପାଇଁ ଲୋକଙ୍କଠାରୁ ଲାଞ୍ଚ ସ୍ବରୂପ ଜମି ନେଉଥିଲେ। ଚାକିରି ପାଇବାପାଇଁ କିଛି ଲୋକ ସେମାନଙ୍କ ଜମିକୁ ଲାଲୁଙ୍କ ପରିବାର ସଦସ୍ୟଙ୍କ ନାଁରେ କରିଦେଇଥିଲେ। ଆରଜେଡି ପକ୍ଷରୁ ରାବଡିଙ୍କ ଜେରାକୁ ତୀବ୍ର ବିରୋଧ କରାଯାଇଛି। ତେବେ ସିବିଆଇ ପକ୍ଷରୁ କୁହାଯାଇଛି ରାବଡିଙ୍କୁ ପୂର୍ବରୁ ଜେରା ପାଇଁ କୁହାଯାଇଥିଲା ଏବଂ ସେ ମାର୍ଚ୍ଚ ୬ରେ ଜେରା ପାଇଁ ତାଙ୍କ ଆଡ଼ୁ ସମୟ ଦେଇଥିଲେ।