ଏଣିକି ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ କଲେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ
ନୂଆଦିଲ୍ଲୀ: ଏଣିକି ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ କଲେ ଆପଣଙ୍କୁ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ । ଏ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସହିତ କେନ୍ଦ୍ର ସରକାର ପରାମର୍ଶ କରିଥିଲେ । ତେଣୁ ବିଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରିବା କ୍ଷେତ୍ରରେ ସୋର୍ସ ଉପରେ ଟ୍ୟାକ୍ସ କଲେକ୍ସନ (ଟିସିଏସ) ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।
ତେବେ ଆସନ୍ତା ଜୁଲାଇ ମାସ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଫେମା) ଅଧିନରେ ନିୟମରେ ସଂଶୋଧନ କରି ଏକ ନୋଟିଫିକେସନ ଜାରି କରିଛନ୍ତି । ଭାରତ ବାହାରେ କ୍ରେଡିଟ କାର୍ଡ ମାଧ୍ୟମରେ ଖର୍ଚ୍ଚ କରାଗଲେ ତାହାକୁ ଲିବେରାଲାଇଜଡ୍ ରେମିଟାନ୍ସ ସ୍କିମ (ଏଲଆରଏସ)ରେ ସାମିଲ କରାଯିବ । ସେଥିପାଇଁ ଆକ୍ଟରୁ ସେକ୍ସନ-୭କୁ ହଟାଇ ଦିଆଯାଇଛି ।
ଏଲଆରଏସ ସ୍କିମ ଅନୁସାରେ ଜଣେ ଭାରତୀୟ ନିବାସୀ ବିଦେଶରେ ବାର୍ଷିକ ସର୍ବାଧିକ ୨.୫୦ ଲକ୍ଷ ଡଲାର ଖର୍ଚ୍ଚ କରିପାରିବେ । ଏହାଠାରୁ ଅଧିକ ଖର୍ଚ୍ଚ କଲେ ଆରବିଆଇ ଠାରୁ ମଞ୍ଜୁରୀ ନେବାକୁ ପଡ଼ିବ । ଆର୍ଥିକ ବର୍ଷ ୨୦୨୩-୨୪ ବଜେଟରେ ଟିସିଏସ ରେଟ ୫ ପ୍ରତିଶତରୁ ବଢ଼ାଯାଇ ୨୦ ପ୍ରତିଶତ କରାଯାଇଥିଲା । ଚଳିତ ବର୍ଷ ଜୁଲାଇ ପହିଲାରୁ ଏଲଆରସକୁ ଅନ୍ତରାଷ୍ଟ୍ରୀୟ କ୍ରେଡିଟ କାର୍ଡ ପେମେଣ୍ଟରେ ସାମିଲ ହେବ ବୋଲି କୁହାଯାଇଥିଲା ।
ଆସନ୍ତା ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଟିଏସସ ରେଟ ୫ ପ୍ରତିଶତ ରହିବ । ମାତ୍ର ଜୁଲାଇ ୧ରୁ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡ ଉପରେ ଏହା ୨୦ ପ୍ରତିଶତ ହୋଇଯିବ । ସେହିପରି ବିଦେଶ ଯାତ୍ରା କ୍ଷେତ୍ରରେ ଭାରତୀୟଙ୍କ କ୍ରେଡିଟ କର୍ଡର ଉପଯୋଗ ଗତ ମାର୍ଚ୍ଚ ୧୬ରୁ ପ୍ରଭାବୀ ହେବା ସହ ଏଲଆରଏସ ଅଧିନକୁ ଚାଲିଆସିଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲୋକଙ୍କୁ ଏଣିକି ଅଧିକ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେଣୁ କରଦାତା ଆୟକର ରିଟର୍ଣ୍ଣ ସମୟରେ ୨୦ ପ୍ରତିଶତ ଟିସିଏସ ଫେରିପାଇବା ନେଇ ଦାବି କରିପାରନ୍ତି । କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ପଠାଯାଉଥିବା ଅର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ଫେମା ଆଇନରେ ସଂଶୋଧନ କରାଯାଇଛି । ଏହି ନିୟମ ପରିବର୍ତ୍ତନ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପଶଇଛି ।