ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣା: କାର ନିର୍ମାତା କମ୍ପାନିକୁ ପୋଲିସର ଅନେକ ପ୍ରଶ୍ନ, ଜର୍ମାନୀ ପଠାଯିବ ଡାଟା ରେକର୍ଡର ଚିପ୍

ମୁମ୍ୱାଇ: ମହାରାଷ୍ଟ୍ରର ପାଲଘରରେ ସଡକ ଦୁର୍ଘଟଣାରେ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାର ନିର୍ମାତା କମ୍ପାନିକୁ ଅନେକ ପ୍ରଶ୍ନ କରିଛି ପୋଲିସ । ଦୁର୍ଘଟଣା ସମୟରେ ଏସୟୁଭିର ଏୟାରବ୍ୟାଗ କାହିଁକି ଖୋଲି ନଥିଲା ବୋଲି କମ୍ପାନିକୁ ପୋଲିସ ପ୍ରଶ୍ନ କରିଛି । କାରରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ? ଟାୟାରର ପ୍ରେସର କେତେ ଥିଲା ? ଧାକ୍କା ହେବା ପରେ ଗାଡିର ଷ୍ଟିୟରିଂ ଲକ ହୋଇଯାଇ ଥିଲା କି ? ଏହି ସବୁ ପ୍ରଶ୍ନର ଜବାବ ଏବେ କାର ନିର୍ମାତା ନିଜ ରିପୋର୍ଟରେ ଦେବ।

ସୂତ୍ର ଅନୁସାରେ କାର ନିର୍ମାତା କମ୍ପାନି କାରର ଡାଟା ରେକର୍ଡିଂ ଚିପକୁ ଡିକୋଡିଂ ପାଇଁ ଜର୍ମାନୀ ପଠାଇବ ବୋଲି ପୋଲିସକୁ ସୂଚନା ଦେଇଛି। ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ସୂଚନା ପୋଲିସକୁ ଉପଲବ୍ଧ କରାଯିବ। ତେବେ ଏହି ପ୍ରକ୍ରିୟାରେ ଅନେକ ଦିନ ଲାଗିପାରେ। ଏହି ଟାଡା ରେକର୍ଡରେ ଗାଡି ବାବଦରେ ବିସ୍ତୃତ ତଥ୍ୟ ମିଳିପାରିବ । ବ୍ରେକ, ଏୟାରବ୍ୟାଗ ଏବଂ ଅନ୍ୟ ସବୁ କିପରି କାମ କରୁଥିଲା, ଏହାର ସୂଚନା ମିଳିବ । ଦୁର୍ଘଟଣା ସମୟରେ କାରର ଗତି କେତେ ଥିଲା ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ।

ଅନ୍ୟପଟେ ଯାତ୍ରା ସମୟରେ ସାଇରସ ମିସ୍ତ୍ରୀ ମଝିରେ କେଉଁଠି ଅଟକି ଥିଲେ କି ନାହିଁ ସେ ବାବଦରେ ମଧ୍ୟ ପୋଲିସ ତଦନ୍ତ କରୁଛି । ଉଲ୍ଲେଖଯୋଗ୍ୟ ଯେ, ରବିବାର ସଂଧ୍ୟାରେ ଦେଶରେ ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସାନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

Related Articles

Back to top button