କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାରେ ୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ସୋମବାର ସିଲଦା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବା ଘଟଣାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଦୁର୍ଘଟଣାରେ କାଞ୍ଚନଜୁଙ୍ଗା ଏକ୍ସପ୍ରେସର ଗାର୍ଡ ଓ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏଥି ସହିତ ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଏବେବି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗ୍ୟାସ୍ କଟରରେ ବଗି ଗୁଡିକୁ କାଟି ଉଦ୍ଧାର କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କୁରସିଓଙ୍ଗର ଆଡିସନାଲ ଏସପି ଓ ଏନଡିଆରଏଫର କମାଣ୍ଡିଙ୍ଗ ଅଫିସର ।ଏଥି ସହିତ ଏହି ଦର୍ଘଟଣା ମାନବୀୟ ତ୍ରୁଟିରୁ ହୋଇଛି ବୋଲି କହିଲେ ରେଲୱେ ବୋର୍ଡ ଅଧ୍ୟକ୍ଷ ଜୟାବର୍ମା ସିହ୍ନା। ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ସିଗ୍‌ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଛି।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଏଥି ସହିତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ।

ସେହିପରି ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଏଥି ସହିତ ଗୁରୁତର ଆହତଙ୍କ ପାଇଁ ୨.୫ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଏନଜେପିରୁ ସିଆଲଦା ଅଭିମୁଖେ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ ରଙ୍ଗପାଣି ଓ ନିଜବାରୀ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ ସିଗନାଲ୍ ଅତିକ୍ରମ କରି କାଞ୍ଚନଜଙ୍ଗା ଟ୍ରେନର ପଛ ଭାଗ ସହିତ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଡିଭିଜନାଲ ଟିମ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି।

Related Articles

Back to top button