ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଜୟ ନୟାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଦାବି କରିଲା ସିବିଆଇ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇଥିବା ବିଜୟ ନୟାରଙ୍କୁ ନେଇ ସିବିଆଇ ଏକ ବଡ ଖୁଲାସା କରିଛି । ବିଜୟ ନୟାର ଅତ୍ୟନ୍ତ ଚତୁର। ସେ ଗିରଫ ହେବା ପୂର୍ବରୁ ନିଜର ମୋବାଇଲକୁ ଫର୍ମାଟ କରି ଦେଇଛି । ଏପରି କରି ସେ ଦୁର୍ନୀତିରେ ସଂପୃକ୍ତି ଥିବା ନେଇ ପ୍ରମାଣକୁ ନଷ୍ଟ କରିବାକୁ ପ୍ରୟାସ କରିଛି ବୋଲି ସିବିଆଇ ଦାବି କରିଛି।

ମଙ୍ଗଳବାର ବିଜୟ ନୟାରଙ୍କୁ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ ବୁଧବାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ କହିଛି, ବିଜୟ ନୟର ଫୋନକୁ ଫର୍ମାଟ କରିଥିଲେ। ସେ ଫୋନ୍ କଲ୍ କରିବା ପାଇଁ ଏକ ସ୍ୱତନ୍ତ୍ର ଆପ୍ ବ୍ୟବହାର କରୁଥିଲେ । ଯାହା ଏନକ୍ରିପ୍ଟ ହୋଇଛି; ଯେଉଁଥିପାଇଁ ତଥ୍ୟ ପାଇବା କଷ୍ଟସାଧ୍ୟ। ପଚରାଉଚରା କରିବା ବେଳେ ସହଯୋଗ କରୁନଥିଲେ। ତେଣୁ ଗିରଫ କରାଯାଇଛି।

ବିଜୟ ନୟାର ଜଣେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ସେ ଅବକାରୀ ଦୁର୍ନୀତିରେ ଗିରଫ ହୋଇଥିବା ପ୍ରଥମ ବ୍ୟକ୍ତି। ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହି ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି। ବିଜୟ ନୟାର ଗିରଫ ହେବା ପରେ ବୁଧବାର ମଦ ବ୍ୟବସାୟୀ ସମୀର ମହେନ୍ଦ୍ରଙ୍କୁ ଇଡି ଗିରଫ କରିଛି।

ନଭେମ୍ବର ୧୭ରେ ଦିଲ୍ଲୀରେ ଲାଗୁ ହୋଇଥିବା ନୂଆ ଅବକାରୀ ନୀତି ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଖୋଲା ଟେଣ୍ଡର ମାଧ୍ୟମରେ ୮୪୯ଟି ମଦ ଦୋକାନର ଲାଇସେନ୍ସ ପ୍ରଦାନ କରାଯାଇଥିଲା। ତେବେ ଜୁଲାଇ ୩୦ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏଥିରେ ଦୁର୍ନୀତି ହୋଇଥିବା ସନ୍ଦେହ କରି ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ଏହାପରେ ଦିଲ୍ଲୀ ସରକାର ଏହି ଅବକାରୀ ନୀତି ପ୍ରତ୍ୟାହାର କରିଥିଲେ।

ଏହି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସହ ଜଡିତ ରହିଛନ୍ତି ବୋଲି କହିବାକୁ ନୟାରଙ୍କୁ ବାଧ୍ୟ କରିଥିଲା ସିବିଆଇ । ହେଲେ ସେ ମନା କରିଥିଲେ ଏପରି ନକହିବାକୁ । ତେଣୁ ନୟାରଙ୍କୁ ଗିରଫ କରାଯାଇଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ଏକ ଭିଡିଓ ଜାରି କରି ଆପ ବିଧାୟିକା ଆତିଶି ଦାବି କରିଛନ୍ତି ଯେ ସିବିଆଇ ସିସୋଦିଆଙ୍କ ନାମ ଦେବାକୁ ବାଧ୍ୟ କରିଥିଲା, କିନ୍ତୁ ସେ ଏହା କରିବାକୁ ମନା କରି ଦେଇଛନ୍ତି।

Related Articles

Back to top button