ଧର୍ମାନ୍ତରୀକରଣ ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ପୋଲିସ ସମନ

ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ ବିବାଦରେ ଇସ୍ତଫା ଦେଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମକୁ ହାଜର ହେବା ପାଇଁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଗତକାଲି (ରବିବାର) ବିଜେପି ପ୍ରବଳ ବିରୋଧ କରିବା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର ପାଲ ଗୌତମ । ତେବେ ଆଜି ତାଙ୍କୁ ହାଜର ହେବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସମନ ଜାରି କରାଯାଇଛି ।

ନିଜ ପୂର୍ବଜଙ୍କୁ ବୌଦ୍ଧ ଧର୍ମାବଲମ୍ବୀ କହୁଥିବା ଦିଲ୍ଲୀ ସରକାରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ  ରାଜେନ୍ଦ୍ର ପାଲ ଗୌତମ   ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହରେ ସାମିଲ ହୋଇଥିଲେ । ଉକ୍ତ ସମାରୋହରେ ଉପସ୍ଥିତ ଜନତାଙ୍କୁ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନକରିବା ଓ ଇଶ୍ବର ବୋଲି ବିଶ୍ବାସ ନକରିବା ପାଇଁ ଶପଥ ପାଠ କରାଯାଇଥିଲେ । ଏହି କାର୍ଯ୍ୟକ୍ରମ ମଞ୍ଚରେ ନିଜେ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

ଏପରି ଏକ ଭିଡିଓ ଭାଇରାଲ ହେବା ପରେ ରାଜନୀତି ଜୋର ଧରିଥିଲା । ବିଜେପି ଆମ ଆଦମୀ ପାର୍ଟିକୁ ହିନ୍ଦୁ ବିରୋଧୀ କହିବା ସହ ମନ୍ତ୍ରୀ ଗୌତମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରିଥିଲା । ପରେ ଏନେଇ ରାଜେନ୍ଦ୍ର ଗୌତମଙ୍କ ବିରୋଧରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଏତଲା ମଧ୍ୟ ଦେଇଥିଲେ । ଗତକାଲି (ରବିବାର) ଏହି ବିବାଦ ମଧ୍ୟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର ପାଲ ଗୌତମ ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଦିଲ୍ଲୀର ଆମ୍ବେଦକର ଭବନରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡ଼ିଓରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଥିଲେ ସଭାରେ ଉପସ୍ଥିତ ଜନତା । କାର୍ଯ୍ୟକ୍ରମ ମଞ୍ଚରେ ନିଜେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ କିଛି ବୌଦ୍ଧ ସାଧୁଙ୍କ ଉପସ୍ଥିତିରେ ଧର୍ମ ପରିବର୍ତ୍ତନ ଶପଥ ଗ୍ରହଣ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Related Articles

Back to top button