୪୦ ଦିନ ପାରୋଲରେ ଜେଲରୁ ମୁକୁଳିଲେ ଗୁରମିତ ରାମ ରହିମ

ହରିୟାଣା: ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମ ଶନିବାର ଜେଲରୁ ପାରୋଲରେ ବାହାରିଛନ୍ତି। ଶନିବାର ସକାଳ ୬ଟା ୫୫ ମିନିଟ୍‌ରେ ସେ ଜେଲରୁ ବାହାରିଥିଲେ। କୋର୍ଟରୁ ତାଙ୍କୁ ୪୦ ଦିନ ପାରୋଲ ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଜେଲରୁ ତାଙ୍କୁ ନେବାକୁ ହନିପ୍ରିତ ଗାଡି ନେଇ ଆସିଥିଲେ। ଜେଲରୁ ବାହାରିବା ପରେ ରାମ ରହିମ ବାଗପତ ଯାଇଛନ୍ତି। ପାରୋଲ ଅବଧିରେ ସେ ବାଗପତରେ ରହିବେ।

ସୁନାରିଆ ଜେଲରେ ଦଣ୍ଡ କାଟୁଥିବା ଗୁରମିତ ରାମ ରହିମ ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ପାରୋଲରେ ବାହାରିଛନ୍ତି। ଏଣୁ ଏବେ ତାଙ୍କ ମୁକୁଳିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଆଦମପୁରରେ ନଭେମ୍ବର ୩ ତାରିଖ ଦିନ ଉପନିର୍ବାଚନ। ଏହା ପୂର୍ବରୁ ଡେରା ମୁଖିଆ ଗତ ଜୁନ ମାସରେ ଜେଲରୁ ପାରୋଲରେ ମୁକୁଳିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଡେରାର ସିରସାସ୍ଥିତ ମୁଖ୍ୟାଳୟରେ ଦୁଇ ମହିଳା ଭକ୍ତଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ରାମ ରହିମ ୨୦ ବର୍ଷ ଜେଲଦଣ୍ଡ କାଟୁଛନ୍ତି। ରାମରହିମଙ୍କୁ ଅଗଷ୍ଟ ୨୦୧୭ରେ ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗୁରମିତ ରାମ ରହିମ ୨୦୦୨ରେ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଅନ୍ୟ ୪ ଜଣଙ୍କ ସହ ଗତବର୍ଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ୨୦୧୯ରେ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ମଧ୍ୟ ଡେରା ପ୍ରମୁଖ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Related Articles

Back to top button