
ଏପ୍ରିଲ ୧ରୁ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ
ନୂଆଦିଲ୍ଲୀ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଦେଶ ୧ ଏପ୍ରିଲ ୨୦୨୩ ରୁ ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ସରକାରୀ ଯାନଗୁଡ଼ିକୁ ହଟାଇ ଦିଆଯିବ। ]
ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବୃତ୍ତିଗତ ଅର୍ଥନୀତିକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୧୫ ବର୍ଷରୁ ଅଧିକ ବର୍ଷର ପୁରୁଣା ସମସ୍ତ ସରକାରୀ ଗାଡିର ପଞ୍ଜୀକରଣ ବାଧ୍ୟତାମୂଳକ ରଦ୍ଦ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ୧୫ ବର୍ଷ ପୁରୁଣା ଯାନ ଯାହାର ପଞ୍ଜୀକରଣ ନବୀକରଣ ଆଧାରରେ ବୃଦ୍ଧି କରାଯାଇଛି, ତାହା ମଧ୍ୟ ସ୍ବତଃ ବାତିଲ ବୋଲି ଧରାଯିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ପଞ୍ଜୀକୃତ ସ୍କ୍ରାପ ସେଣ୍ଟରରେ ଏହିପରି ଯାନଗୁଡିକୁ ବିସର୍ଜନ କରିବାକୁ ପଡିବ।
ଏହାପୂର୍ବରୁ କେନ୍ଦ୍ର ପରିବହନ ଓ ସଡକ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ଯାନବାହାନକୁ ସ୍କ୍ରାପରେ ପରିଣତ କରାଯିବ। ସେ କହିଛନ୍ତି ଯେ ଏ ବାବଦରେ ରାଜ୍ୟକୁ ସୂଚନା ପଠାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଅନୁମୋଦନ ଦେଇଛନ୍ତି।