
ସ୍ପାଇସ୍ ଜେଟ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍
ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି ପରେ ଜବାବ ଲୋଡ଼ିଲା ଡିଜିସିଏ
ନୂଆଦିଲ୍ଲୀ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ସେପ୍ଟେମ୍ବର ୨୦୨୧ରେ ଡିଜିସିଏ ଦ୍ୱାରା ହୋଇଥିତ୍ବା ସ୍ପାଇସଜେଟର ଅଡିଟ ଜାଣିବାକୁ ମିଳିଥିଳା ଯେ ଅତିରିକ୍ତ ଯୋଗାଣକାରୀଙ୍କୁ ନିୟମିତ ଭାବରେ ଦରମା ଦିଆଯାଉ ନାହିଁ, ଯାହା ଫଳରେ ସ୍ପେୟାର ଅଭାବ ଦେଖାଦେଇଛି।
ଡିଜିସିଏ କହିଛି ଯେ ବିମାନ ନିୟମ, ୧୯୩୭ ଅନୁଯାୟୀ ସ୍ପାଇସଜେଟ ନିରାପଦ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ନିଶ୍ଚିତ କରିବାରେ ବିଫଳ ହୋଇଛି। ମଙ୍ଗଳବାର ଦିଲ୍ଲୀ-ଦୁବାଇ ବିମାନ ଇନ୍ଧନ ସୂଚକ ତ୍ରୁଟିପୂର୍ଣ୍ଣ ହେବା ପରେ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଥିଲା। ସେହିପରି ଓ୍ବିଣ୍ଡ ଶିଲ୍ଡରେ ଫାଟ ସୃଷ୍ଟି ହେବା ଯୋଗୁ କାଣ୍ଡଲା-ମୁମ୍ବାଇ ବିମାନ ମହାରାଷ୍ଟ୍ରର ରାଜଧାନୀରେ ଅବତରଣ କରିଥିଲା।
ଡିଜିସିଏ ଅନୁଯାୟୀ ଏହି ସବୁ ଘଟଣାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ସ୍ପାଇସଜେଟ ଏୟାରଲାଇନ୍ସ ଗତ ତିନିବର୍ଷ ଧରି କ୍ଷତିରେ ଚାଳିଛି।
ଶସ୍ତା ସେବା ଯୋଗାଉଥିବା ସ୍ପାଇସଜେଟର ୨୦୧୮-୧୯ରେ ୩୧୬ କୋଟି, ୨୦୧୯-୨୦ ରେ ୯୩୪ କୋଟି ଏବଂ ୨୦୨୦-୨୧ରେ ୯୯୮ କୋଟି ଟଙ୍କା କ୍ଷତି ହୋଇଛି। ବିମାନ ଚଳାଚଳ କ୍ଷେତ୍ର କରୋନା ମହାମାରୀ ପ୍ରଭାବର ଧିରେଧିରେ ସ୍ବାଭାବିକ ହେବାରେ ଲାଗିଛି।
ବିମାନ ଚଳାଚଳ ପରାମର୍ଶଦାତା ସଂସ୍ଥା ସିଏପିଏ ଜୁନ ୨୯ ରେ କହିଛି ଯେ ୨୦୨୧-୨୨ରେ ଭାରତୀୟ ବିମାନ ସେବାଗୁଡିକର କ୍ଷତି ୩ ବିଲିୟନ ଡ଼ଲାର ହୋଇଛି। ୨୦୨୨-୨୩ରେ ଏହା ହ୍ରାସ ପାଇ ୧.୪ ରୁ ୧.୭ ବିଲିୟନ ମଧ୍ୟରେ ହୋଇପାରେ।