ଡାକ୍ତରଙ୍କୁ ହଜାରେ କୋଟିର ମାଗଣା ଉପହାର ଦେଇଛି ଡୋଲୋ କମ୍ପାନୀ: ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜ୍ୱର ଓ ଯନ୍ତ୍ରଣା ଉପଶମ କରୁଥିବା ୬୫୦ ମିଲିଗ୍ରାମ ଡୋଲୋ ଟାବ୍‌ଲେଟ ଲେଖିବା ନିମନ୍ତେ ସମ୍ପୃକ୍ତ କମ୍ପାନୀ ଡାକ୍ତରମାନଙ୍କୁ ୧,୦୦୦ କୋଟି ଟଙ୍କାର ମାଗଣା ଉପହାର ଦେଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଭିଯୋଗ କ୍ରମେ ଏକ ଏନ୍‌ଜିଓ ଏହି ପ୍ରସଙ୍ଗ ଉଠାଇବା ପରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ବୋଲି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି। ଆବେଦନକାରୀ ‘ଫେଡେରେଶନ ଅଫ୍‌ ମେଡିକାଲ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ’ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ପାରିଖ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ୫୦୦ ମିଲିଗ୍ରାମ ପର୍ଯ୍ୟନ୍ତ ଟାବ୍‌ଲେଟଗୁଡ଼ିକର ବଜାର ମୂଲ୍ୟ ସରକାର ନିୟନ୍ତ୍ରଣ କରୁଥିବାବେଳେ ଏହାଠାରୁ ଅଧିକ ମିଲିଗ୍ରାମର ଔଷଧ ମୂଲ୍ୟ ଫାର୍ମା କମ୍ପାନୀ ନିର୍ଦ୍ଧାରଣ କରିଥାନ୍ତି। ଅଧିକ ଲାଭ ପାଇଁ ଡୋଲୋ ଟାବ୍‌ଲେଟ ଉତ୍ପାଦନକାରୀ କମ୍ପାନୀ ମାଇକ୍ରୋ ଲାବ୍ସ ଲିଃ ଡାକ୍ତରମାନଙ୍କୁ ମାଗଣା ଉପହାର ଦେଇ ୬୫୦ ମିଲିଗ୍ରାମ୍‌ ଟାବ୍‌ଲେଟ ଲେଖିବା ପାଇଁ ପ୍ରବର୍ତ୍ତାଉଥିଲା। ଏହା ଉପରେ କେନ୍ଦ୍ର ସରକାରଙ୍କ ଜବାବ ରଖିବାକୁ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍‌. ନଟରାଜଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ କରିଛନ୍ତି। ମାଇକ୍ରୋ ଲାବ୍ସ ଲିଃର ୯ ରାଜ୍ୟର ୩୬ଟି ସ୍ଥାନରେ ଥିବା କାର୍ଯ୍ୟାଳୟ ଓ କାରଖାନା ଉପରେ ଆୟକର ଚଢ଼ାଉ ବେଳେ ଅନୈତିକ କାର୍ଯ୍ୟ ଧରାପଡ଼ିଥିଲା।

Related Articles

Back to top button