ପଞ୍ଜାବ ସୀମାନ୍ତ ଗ୍ରାମରେ ଉଡିଲା ପାକିସ୍ତାନୀ ଡ୍ରୋନ

ଚଣ୍ଡିଗଡ: ଗତକାଲି ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳନରେ ବ୍ୟସ୍ତ ଥିବା ବେଳେ ଗୁପ୍ତଚରଗିରୀ କରିବା ଭୁଲି ନାହିଁ ପାରମ୍ପାରିକ ଶତୃ ପାକିସ୍ତାନ । ସୀମାନ୍ତ ରାଜ୍ୟ ପଞ୍ଜାବର ଅମୃତସର ନିକଟବର୍ତ୍ତୀ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଏକ ଗ୍ରାମରେ ପ୍ରାୟ ୩ ଥର ଦୃଶ୍ୟମାନ ହୋଇଛି ଏକ ସନ୍ଦିଗ୍ଧ ଡ୍ରୋନ । ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳ ଘଟଣାର ତଦନ୍ତ ଜାରି ରଖିଥିଲେ ସୁଦ୍ଧା ଡ୍ରୋନକୁ ଠାବ କରି ପାରିନାହାନ୍ତି ।

ଘଟଣା ନେଇ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ ରୁ ୧୨ ଟା ମଧ୍ୟରେ ପ୍ରାୟ ୩ ଥର ଏହି ସନ୍ଦିଗ୍ଧ ଡ୍ରୋନଟି ଗ୍ରାମ ନିକଟରେ ଦୃଶ୍ୟମାନ ହୋଇଥିଲା । କିଛି ସମୟ ବ୍ୟବଧାନରେ ପ୍ରାୟ ୩ ଥର ଦେଖାଯିବା ପରେ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ସହ ବିଏସଏଫ ଅଧିକାରୀ ଗ୍ରାମରେ ପହଞ୍ଚିଥିଲେ । ପରେ ଡ୍ରୋନଟି ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ସୁରକ୍ଷାବଳର ଯବାନମାନେ ଡ୍ରୋନକୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ତାହା ପାକିସ୍ତାନ ପଟୁକୁ ପୁନଃ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ସର୍ଚ୍ଚ ଅପରେସନରେ ସୁରକ୍ଷାବଳକୁ କୌଣସି ଆପତ୍ତିଜନକ ସାମଗ୍ରୀ ମଳି ପାରିନାହିଁ । କୌଣସି ସୂଚନା ମିଳିଲେ ତୁରନ୍ତ ପୋଲିସ ଓ ବିଏସଏଫ ସହ ସମ୍ପର୍କ କରିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ମଧ୍ୟ ପାକିସ୍ତାନ ଏକାଧିକ ଏପରି ପ୍ରୟାସ କରି ସାରିଛି । ଭାରତୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନୀ ସେନା ଏପରି ଡ୍ରୋନ ଉଡାଣ କରିଥାଏ । ତେବେ କିଛି କ୍ଷେତ୍ରରେ ଭାରତୀୟ ସେନା ଦ୍ବାରା ଏହି ମିଶନକୁ ପଣ୍ଡ କରିବାରେ ସଫଳତା ମଧ୍ୟ ମିଳିଛି । ଏକାଧିକ ଥର ସେନା ଗୁଳିରେ ପାକିସ୍ତାନୀ ଡ୍ରୋନ ଖସି ପଡିଥିବାର ନଜିର ମଧ୍ୟ ରହିଛି ।

Related Articles

Back to top button