
ବର୍ଷାରେ ବେହାଲ ଉତ୍ତର ଭାରତ
ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଉତ୍ତର ଭାରତ । ବର୍ଷା କାରଣରୁ ବଢିବାରେ ଲାଗିଛି ଯମୁନା ନଦୀର ଜଳ ସ୍ତର । ଏମିତିକି ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ଜଳବନ୍ଦୀ ସମସ୍ୟା । ପ୍ରବଳ ଜଳର ସ୍ରୋତରେ ରାସ୍ତା ଓ ବ୍ରିଜ୍ ଧୋଇ ହୋଇଯାଇଛି । ଏମିତିକି ଜଳମଗ୍ନ ଯୋଗୁଁ ଲୋକମାନେ ଘରେ ଅଟକି ରହିଛନ୍ତି । ବର୍ଷା ଏବଂ ଜଳବନ୍ଦୀ ସମସ୍ୟାକୁ ଦେଖି ଗୁରୁଗ୍ରାମ ଏବଂ ନୋଏଡାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଛି । ଅନ୍ୟପଟେ କିଛି ପ୍ରାଇଭେଟ୍ କମ୍ପାନୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଉତ୍ତର ଭାରତରେ କ୍ରମାଗତ ବର୍ଷା ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ୪୦ ବର୍ଷ ରେକର୍ଡ ଭାଙ୍ଗିଛି । ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅନେକ ବ୍ରିଜ୍ ମଧ୍ୟ ଧୋଇ ହୋଇଯାଇଛି ।
ଗୁରୁଗ୍ରାମ, ନୋଏଡାରେ ପ୍ରବଳ ବର୍ଷା କାରଣରୁ ସ୍କୁଲ ବନ୍ଦ ରହିବ । ଉତ୍ତର ଭାରତରେ ସୋମବାର ଦିନ ଅନେକ ରାଜ୍ୟରେ ସ୍କୁଲ ବନ୍ଦ ରହିବ ଏବଂ ଅନେକ ଜିଲ୍ଲାରେ ଆସନ୍ତା ତିନି ଦିନ ପାଇଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପାଣିପାଗ ବିଭାଗ ତରଫରୁ କିଛି ଅଞ୍ଚଳରେ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି ।