ଯୋଡି ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢ଼ିବେ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ଶିବସେନା ଦୁଇ ଗୋଷ୍ଠୀ ମଧ୍ୟରେ ଚିହ୍ନ ବିବାଦ । ଗତକାଲି (ସୋମବାର) ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଚିହ୍ନ ମିଳିଥିବା ବେଳେ ଆଜି ଅପର ପକ୍ଷ ସିନ୍ଦେ ଗୋଷ୍ଠୀଙ୍କୁ ମଧ୍ୟ ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ। ଯୋଡି ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢ଼ିବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ।

ଉଭୟ ବିପକ୍ଷ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ଦାବି କରିବା ସହ ମୂଳ ଚିହ୍ନ ‘ଧନୁ ତୀର’ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ମୁମ୍ବାଇର ଅନ୍ଧେରୀ-ଇଷ୍ଟ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳୀୟ ଚିହ୍ନ ବିବାଦ ନେଇ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ତେବେ ମୂଳ ଚିହ୍ନକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ ବୋଲି ଦର୍ଶାଇ ଆୟୋଗ ଫ୍ରିଜ କରିବା ସହ ଉଭୟ ଗୋଷ୍ଠୀକୁ ନିଜ ପସନ୍ଦର ଏକାଧିକ ଚିହ୍ନ ପ୍ରସ୍ତାବ ରଖିବାକୁ କହିଥିଲେ ।

ଗତକାଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ମଶାଲ ଚିହ୍ନ ମିଳି ସାରିଥିବା ବେଳେ ଆଜି ସିନ୍ଦେ ଗୋଷ୍ଠୀକୁ ଯୋଡି ଖଣ୍ଡା ଓ ଢାଲ ଚିହ୍ନ ମିଳିଛି। ସେହିପରି ସନ୍ଦେଙ୍କୁ ଗତକାଲି ଦଳର ନାମ ମଧ୍ୟ ପ୍ରଦାନ କରି ସାରିଥିଲେ ଆୟୋଗ । ଦଳର ନାମ ରହ ବାଲାସାହେବ ବାଞ୍ଚି ଶିବସେନା।

ତେବେ ନିର୍ବାଚନ କମିଶନ ଶିବସେନାର ମୂଳ ସଙ୍କେତ ବା ଚିହ୍ନ ‘ଧନୁ ତୀର’କୁ ଫ୍ରିଜ କରିବା ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲଞ୍ଜ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ଦିଲ୍ଲୀ ହାଇକୋର୍ଟରେ ଠାକରେ ଗୋଷ୍ଠୀ କରିଥିବା ଆବେଦନରେ ଆୟୋଗଙ୍କ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା ପାଇଁ ନିବେଦନ କରାଯାଇଛି । ଗୋଟିଏ ପଟେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରିହଥିବା ବେଳେ ଅନ୍ଧେରୀ-ପୂର୍ବ ଆସନରେ ହେବାକୁ ଥିବା ଉପନିର୍ବାଚନରେ ଉଭୟ ଗୋଷ୍ଠୀ ପ୍ରାର୍ଥୀ ଦେବା ପାଇଁ ଆଗ୍ରହୀ ମଧ୍ୟ ରହିଛନ୍ତି ।

Related Articles

Back to top button