
ନିର୍ବାଚନ କମିଶନ ଦ୍ୱାରା ନୂଆ ଡିଜିଟାଲ ପ୍ଲାଟଫର୍ମ ପ୍ରଚଳନ : ଯେଉଁଥିରେ ମିଳିବ ନିର୍ବାଚନ ସମ୍ପର୍କିତ ସମସ୍ତ ସୂଚନା
ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏକ ବଡ଼ ପଦକ୍ଷେପ ନେଇଛି। ନିର୍ବାଚନ କମିଶନ ଦ୍ୱାରା ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ପ୍ରଚଳନ କରାଯାଉଛି, ଯେଉଁଥିରେ ନିର୍ବାଚନ ସମ୍ପର୍କିତ ସମସ୍ତ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଏନେଇ ଇସିଆଇ ECINET ନାଁରେ ଏକ ନୂଆ ଆପ୍ ଲଞ୍ଚ କରିବା ନେଇ ଯୋଜନା କରୁଛନ୍ତି । ଏହି ଡିଜିଟାଲ ପ୍ଲାଟଫର୍ମ ଲଞ୍ଚ କରିବାର ଉଦ୍ଦେଶ୍ୟ ହେଉଛି ୪୦ ମୋବାଇଲ ଓ ୱେବ ଆପ୍ଲିକେସନରୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା । ଯାହାଦ୍ବାରା ଦେଶର ଭୋଟର, ପୋଲିଂ ଅଫିସର ଓ ରାଜନୈତିକ ଦଳ ସମେତ ସାଧାରଣ ଲୋକଟିଏ ଗୋଟିଏ ସ୍ଥାନରେ ଅତି ସହଜରେ ସୂଚନା ପାଇପାରିବେ ।ECINET ଆରମ୍ଭ ହେବା ପରେ, ମୋବାଇଲ୍ ବ୍ୟବହାରକାରୀମାନଙ୍କୁ ନିର୍ବାଚନ କିମ୍ବା ନିର୍ବାଚନ କମିଶନ ସହିତ ଜଡିତ ବିଭିନ୍ନ କାର୍ଯ୍ୟ ପାଇଁ ଆଉ ଏକାଧିକ ଆପ୍ ସଂସ୍ଥାପନ କରିବାକୁ ପଡିବ ନାହିଁ। ଏହାର ଆଉ ଏକ ବଡ଼ ସୁବିଧା ହେବ ଯେ ବ୍ୟବହାରକାରୀଙ୍କୁ ବିଭିନ୍ନ ଆପ୍ ପାଇଁ ଆଇଡି କିମ୍ବା ପାସୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ। ECIର ଏହି ଏକକ ପ୍ଲାଟଫର୍ମ ସିଧାସଳଖ ସମଗ୍ର ନିର୍ବାଚନ ବ୍ୟବସ୍ଥା ଏବଂ ପ୍ରାୟ 100 କୋଟି ଭୋଟରଙ୍କୁ ଲାଭ ଦେବ। ଆପଣଙ୍କୁ କହିରଖୁଛୁ ଯେ ECINET ପାଇଁ ପ୍ରସ୍ତାବ କିଛି ସମୟ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏକ ବୈଠକ ସମୟରେ ଦେଇଥିଲେ।
ଏହି ଆପ୍ ଲଞ୍ଚ କରିବାର ପ୍ରସ୍ତାବ ପ୍ରଥମେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଦେଇଥିଲେ । ସେ ବିଶ୍ବାସ କରୁଥିଲେ ଯେ ଏହା ବ୍ୟବହାରକାରୀଙ୍କ ଅଭିଜ୍ଞତା ଏବଂ ଇଣ୍ଟରଫେସ୍ ଉଭୟକୁ ଉନ୍ନତ କରିବ । ନିର୍ବାଚନ କମିଶନଙ୍କ ଦ୍ବାରା ପରିଚାଳିତ ଅନେକ ଆପ୍ ଏହି ପ୍ଲାଟଫର୍ମ ସହିତ ସଂଯୁକ୍ତ ହେବ ଯେପରିକି ଭୋଟର ହେଲ୍ପଲାଇନ୍, ଭୋଟର ଟର୍ଣ୍ଣଆଉଟ୍, cVIGIL, Suvidha 2.0, ESMS, Saksham ଏବଂ KYC ଆପ୍ । ଏହି ସମସ୍ତ ଆପ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ 5.5 କୋଟିରୁ ଅଧିକ ଡାଉନଲୋଡ୍ ରେକର୍ଡ କରାଯାଇଛି । ଏହି ଡିଜିଟାଲ୍ ପ୍ଲାଟଫର୍ମ କେବଳ ଭୋଟରଙ୍କୁ ନୁହେଁ ବରଂ 10.5 ଲକ୍ଷ ବୁଥ୍ ସ୍ତରୀୟ ଅଧିକାରୀ (BLO), 45 ଲକ୍ଷ ପୋଲିଂ ଅଧିକାରୀ, 15597 ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO), 4123 ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ଏବଂ 767 ଜିଲ୍ଲା ନିର୍ବାଚନ ଅଧିକାରୀ (DEO)ଙ୍କୁ ମଧ୍ୟ ସାହାଯ୍ୟ କରିବ । ନିର୍ବାଚନ ସମୟରେ ସେମାନଙ୍କର କାମ ମଧ୍ୟ ସହଜ ହୋଇପାରିବ । ଗୋଟିଏ ଆପ୍ରେ ହିଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିବ ।