ହେଟ୍ ସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତ ପରି ବ୍ୟବହାର କରିବା ଅନୁଚିତ

ନୂଆଦିଲ୍ଲୀ: ଅନେକ ସମୟରେ ଦେଶରେ ଘଟୁଥିବା ବିଭିନ୍ନ ମାମଲାକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ନିଜର ମନ୍ତବ୍ୟ ପ୍ରଦାନ କରିଥାନ୍ତି । ତେବେ ହେଟ୍ ସ୍ପିଚକୁ ନେଇ ନିକଟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଅନୁଚିତ । ଏଥିସହିତ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ କର୍ତ୍ତବ୍ୟରେ ଅବହେଳା କଲେ ବର୍ତ୍ତିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଗତ ୨୦୨୧ରେ ନୋଏଡ଼ାରେ ହୋଇଥିବା ଏକ ହେଟ୍ ସ୍ପିଚ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଥିଲେ। ଏହି ମାମଲା ୨୦୨୧ ମସିହା ଜୁଲାଇରେ ଘଟିଥିବା ବେଳେ ୨୦୨୩ ମସିହା ଜାନୁଆରୀରେ କାହିଁକି ମାମଲା ଦାୟର ହୋଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏଥିସହିତ ଏହି ମାମଲାରେ ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେବା ସହିତ ଆଫିଡେଭିଡ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ ।

ଅଦାଲତ ଏହି ମାମଲାର ଏଫଆଇଆର କପି ଓ ଅଭିଯୁକ୍ତଙ୍କ ବିବରଣୀ ମାଗିଥିଲେ । ଏଥିସହିତ ଅଭିଯୁକ୍ତଙ୍କୁ କେବେ ବେଲ ଦିଆଯାଇଥିଲା ତାହା ମଧ୍ୟ କୋର୍ଟ ୟୁପି ସରକାରଙ୍କୁ ପଚାରିଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସରେ ୬୨ ବର୍ଷୀୟ କାଜୀମ ଅହମଦ ଶେରବାନୀ ଏକ ଘୃଣ୍ୟ ମନ୍ତବ୍ୟର ଶିକାର ହୋଇଥିଲେ । ସେହିପରି ପୋଲିସ ଉପରେ ଲାଗିଥିବା ନିଷ୍କ୍ରିୟତା ଅଭିଯୋଗକୁ ନେଇ କୋର୍ଟ କହିଥିଲେ, ଏପରି ଅଧିକାରୀ ନିଜର କର୍ତ୍ତବ୍ୟରେ ଲାବରବାହୀ କରି ବର୍ତ୍ତିପାରିବେ ନାହିଁ । ଆମକୁ ଏକ ଉଦାହରଣ ପ୍ରତିଷ୍ଠା କରିବା ଦରକାର । ଫଳରେ ଆମେ ବିକଶିତ ଦେଶଗୁଡ଼ିକର ସମକକ୍ଷ ହୋଇପାରିବା । ଯେଉଁ ବ୍ୟକ୍ତିମାନେ ଥାନାକୁ ଆସୁଛନ୍ତି ସେମାନଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଠିକ୍ ନୁହେଁ ।

Related Articles

Back to top button