
୨୦୨୪-୨୫ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ
ଆଜି ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ । ୨୦୨୪-୨୫ ବର୍ଷ ପାଇଁ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀ ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ଦିଆଯାଇଛି ପ୍ରାଧାନ୍ୟ। ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ । ମୁଦ୍ରାସ୍ପିତୀ ୪ ପ୍ରତିଶତ ରଖିବାକୁ ଆକଳନ । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ଚାକିରି ଦେବାକୁ ରହିଛି ଲକ୍ଷ୍ୟ । ଶିକ୍ଷା, ରୋଜଗାର ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ । ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା । ସେହିପରି ୯ ସୂତ୍ର ବିଷୟରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ –ସେଗୁଡିକ ହେଲା ୧ – କୃଷିରେ ଉତ୍ପାଦକତା ଓ ଅନୁକୂଳନୀୟ ,୨-ରୋଜଗାର ଓ କୌଶଳ ପ୍ରଶିକ୍ଷଣ , ୩-ସଂସାଧନ ବିକାଶ ଓ ସାମାଜିକ ନ୍ୟାୟ, ୪-ନିର୍ମାଣ ଓ ସେବା , ୫- ସହରର ବିକାଶ ,୬-ଶକ୍ତି ସୁରକ୍ଷା, ୭-ଅବସଂରଚନା,୮- ନବୀକରଣ, ବିକାଶ ଓ ସୁଯୋଗ , ୯O-ପରବର୍ତ୍ତୀ ପିଢୀ ପାଇଁ ସୁଯୋଗ
ସେହିପରି ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ହ୍ରାସ ପାଇବ ସୁନା, ରୁପା ଓ ପ୍ଲାଟିମ ଉପରେ ଲାଗୁଥିବା ସୀମା ଶୁଳ୍କ। ଏହାର ଅର୍ଥ ଦାମ ମଧ୍ୟ ସେହି ଅନୁସାରେ କମିପାରେ। । ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ୬% ହ୍ରାସ କରାଯିବ ଏବଂ ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ। ଏହାବାଦ ମୋବାଇଲ, ଚାର୍ଜର, ବ୍ୟାଟେରୀ ଶସ୍ତା ହେବ। ସଂପୃକ୍ତ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରାଯାଇଛି। ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ଏହି ସବୁ ସାମଗ୍ରୀ ଉପରେ ଲାଗୁଥିବା ଶୁଳ୍କକୁ ମଧ୍ୟ ହ୍ରାସ କରାଯିବ। ୩ ପ୍ରକାର କର୍କଟ ଔଷଧ ଉପରୁ କମିବ କଷ୍ଟମ ଡ୍ୟୁଟି । ଔଷଧ ଓ ହାସପାତାଳ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ। ଏକ୍ସରେ ଟ୍ୟୁବ୍ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ବଜେଟରେ ହୋଇଛି ଘୋଷଣା ।ମୁଦ୍ରା ଲୋନ୍ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷରୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ପାଇପାରିବେ ଲୋନ୍।ସେହିପରି ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ବୃଦ୍ଧି ପାଇଁ ଆସନ୍ତା ୩ ବର୍ଷରେ ନୂଆ ବ୍ରାଞ୍ଚ ଖୋଲାଯିବ। ଚଳିତ ବର୍ଷ ହିଁ ବିଭିନ୍ନ ରାଜ୍ୟରେ ଖୋଲାଯିବ ୨୪ଟି ବ୍ରାଞ୍ଚ।ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ପିପିପି ମୋଡ୍ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା। ଡର୍ମିଟୋରୀ ବ୍ୟବସ୍ଥା ରହିବ। ଏଠାରେ ସୁବିଧାରେ ରହିପାରିବେ ଶ୍ରମିକ।ସେହିପରି ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍। ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍ ଓ ହାଟ ନିର୍ମାଣ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବଜେଟ୍ ପେଢ଼ିରେ ବିହାର ଓ ଅନ୍ଧ୍ରପ୍ରଦେଶ ପାଇଁ ବଡ଼ ଭେଟି ହୋଇଛି ଘୋଷଣା।ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ବୋଧଗୟା, ରାଜଗିର, ବୈଶାଳୀ ଓ ଦରଭଙ୍ଗା ଠାରେ ସଡ଼କ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ। ବିହାର ପାଇଁ ସରକାର ଆର୍ଥିକ ସହାୟତା ବ୍ୟବସ୍ଥା କରିବେ। ସଡ଼କ ନିର୍ମାଣ ପାଇଁ ୨୬,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ନିଆଯିବ ପଦକ୍ଷେପ ।