
ଗଗନଯାନ ମିଶନ ପାଇଁ ଇସ୍ରୋ ପ୍ରସ୍ତୁତ, ୨୦୨୩ ଫେବୃଆରୀରେ ହେବ ଉଡ଼ାଣମୂଳକ ପରୀକ୍ଷା
ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ଉଡ଼ାଣମୂଳକ ପରୀକ୍ଷା ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀରେ ହେବ। ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ୍ ପୂର୍ବରୁ ଏହି ଉଡ଼ାଣମୂଳକ ପରୀକ୍ଷା କରାଯିବ। ଇସ୍ରୋର ମାନବ ମହାକାଶ ଉଡ଼ାଣ କେନ୍ଦ୍ରର ନିର୍ଦ୍ଦେଶକ ଆର. ଉମାମହେଶ୍ଵରନ କହିଛନ୍ତି, ଗଗନଯାନ ମାନବ ମହାକାଶ ଉଡ଼ାଣ ମିଶନ୍ ଅଧୀନରେ ମହାକାଶଚାରୀ ମାନଙ୍କୁ ୩ ଦିନ ପାଇଁ କକ୍ଷପଥକୁ ପଠାଇବା ଯୋଜନା ଥିବାରୁ ଏହି ପରୀକ୍ଷଣ ସମୟରେ ଚିନୁକ ହେଲିକପ୍ଟର ଓ ସି-୧୭ ଗ୍ଲୋବମାଷ୍ଟର ପରିବହନ ଜାହାଜ ବ୍ୟବହାର କରାଯିବ।
ଭାରତୀୟ ମହାକାଶ କଂଗ୍ରେସକୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି, ଇତିମଧ୍ୟରେ ଇସ୍ରୋ ପରିବେଶ ସୁରକ୍ଷା ବ୍ୟବସ୍ଥାର ରୂପରେଖ ଚୂଡାନ୍ତ କରିସାରିଛି। ଏହି ବ୍ୟବସ୍ଥା ଦ୍ୱାରା ମହାକାଶଚାରୀମାନେ ପୃଥିବୀର କକ୍ଷପଥ ପରିକ୍ରମା କରୁଥିବା ଯାନ ମଧ୍ୟରେ ସଠିକ ତାପମାତ୍ରା ରକ୍ଷା କରିବ। ଏହି ସମୟ ମଧ୍ୟରେ ପ୍ରାୟ ଇସ୍ରୋ ୧୭ ପ୍ରକାର ପରୀକ୍ଷା କରିବ।