
କର୍ଣ୍ଣାଟକରେ ୫ ବର୍ଷର ଝିଅ ଜିକା ଭାଇରସରେ ଆକ୍ରାନ୍ତ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ପୁଣେର ଲ୍ୟାବ ରିପୋର୍ଟରୁ ସୂଚନା ମିଳିଛି । ଜିକା ଭାଇରସ ମମଲା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଏହା ପୂର୍ବରୁ ଅର୍ଥାତ ଡିସେମ୍ବର ୫ ତାରିଖରେ ପୁଣେରେ ପରୀକ୍ଷା ପାଇଁ ୩ଟି ନମୁନା ପଠାଯାଇଥିଲା । ଡିସେମ୍ବର ୮ ତାରିଖରେ ଆସିଥିବା ରିପୋର୍ଟରୁ ଜଣାପଡିଥିଲା, ୨ଟି ନମୂନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜେଟିଭ ଆସିଥିଲା । ଜଣଙ୍କ ଶରୀରରେ ଜିକା ଭାଇରସ୍ ଚିହ୍ନଟ ହୋଇଥିଲା। ଏ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ତେବେ ସେ ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସମସ୍ତ ଡାକ୍ତରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଥାଉ କି, ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମଣ ହୁଏ। ଜିକା ଭାଇରସ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖା ଦେଇଥାଏ । ସଂକ୍ରମଣ ହେବାର ୨ରୁ ୭ ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ସବୁ ଶରୀରରେ ଦେଖା ଦେଇଥାଏ । ଯାହା ବି ହେଉ, ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା।