
ଉତ୍ତର ପ୍ରଦେଶରେ ବନ୍ୟାସ୍ଥିତି ଜଟିଳ ହେବାରେ ଲାଗିଛି।
ନଦୀ ଜଳସ୍ତର ବଢ଼ିବା ଓ କମିବା ଭିତରେ ଉତ୍ତର ପ୍ରଦେଶରେ ବନ୍ୟାସ୍ଥିତି ଜଟିଳ ହେବାରେ ଲାଗିଛି । ଶାହଜହାଁପୁରରେ ବନ୍ୟା ପାଣି କମିଛି। କିନ୍ତୁ ବିପଦ ସଂକେତ ଏବେବି ଜାରି ରହିଛି। ଅଯୋଧ୍ୟା-ପୀଲିଭୀତ ସମେତ ୧୭ଟି ଜିଲ୍ଲାରେ ବନ୍ୟାସ୍ଥିତି ଉପୁଜିଛି। ପାଣିରେ ବୁଡ଼ି ୨ ଜଣ ଶିଶୁ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି। ବରେଲିରେ ବହଗୁଲ ନଦୀ ଜଳସ୍ତର ବଢ଼ିବା କାରଣରୁ ଅନେକ ଗାଁ ଜଳାର୍ଣ୍ଣବ ହୋଇଛି। ୨ ଶିଶୁ ସମେତ ୪ ଜଣ ପାଣିରେ ଭାସିଯାଇଛନ୍ତି। ପରେ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବନବସା ବ୍ୟାରେଜରୁ ଜଳ ନିଷ୍କାସନ କରାଯାଇଛି। ପୀଲିଭୀତରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ବନ୍ୟା ଯୋଗୁଁ ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି। ଶାହଜାହଁପୁର-ଲକ୍ଷ୍ନୌ ରାସ୍ତାରେ ଗମନାଗମନ ପ୍ରଭାବିତ ହୋଇଛି। ଫରୁଖାବାଦରେ ମଧ୍ୟ ରାମଗଂଗା ନଦୀ ବିପଦ ସଂକେତ ଅତିକ୍ରମ କରିଛି। ପ୍ରୟାଗରାଜ, ବାରାଣସୀ, ମିର୍ଜାପୁର ଓ କାନପୁରରେ ଗଂଗାନଦୀ ଜଳସ୍ତର ବଢ଼ିବାରେ ଲାଗିଛି।
ସନ୍ଥକବୀର ନଗରରେ ରାଫ୍ତି ନଦୀ ଶନିବାର ବିପଦ ସଂକେତ ଅତିକ୍ରମ କରିଛି। ସନ୍ଥକବୀର ନଗର ସହିତ ଦେବରିୟାରେ ମଧ୍ୟ ସରଯୂ ନଦୀ ବିପଦ ସଂକେତ ଅତିକ୍ରମ କରିଛି। ଆଜମଗଡ଼, ମଉ ଓ ବଲିଆରେ ଶନିବାର ସରଯୂ ନଦୀର ଜଳସ୍ତର କିଛିମାତ୍ରାରେ ହ୍ରାସ ପାଇଛି। କିନ୍ତୁ ବିପଦ ମୁକ୍ତ ହୋଇପାରି ନାହିଁ। ଉତ୍ତରପ୍ରଦେଶରେ ବନ୍ୟା ଯୋଗୁଁ ୧୭ ଜିଲ୍ଲାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୬୬ଟି ତହସିଲର ମୋଟ ୧୨୭୩ଟି ଗାଁର ଲୋକେ ବନ୍ୟା ମୁକାବିଲା କରୁଛନ୍ତି।