
ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଗିରଫ କରିଛି ଇଡି
ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଶକ୍ତ ଝଟକା ଲାଗିଛି । ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଇଡି ଶୁକ୍ରବାର ଗିରଫ କରିଛି । ମଦ ଦୁର୍ନୀତି ମାମଲାରେ ଚୈତନ୍ୟଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ ସଂଯୋଗ ହେଉଛି ଚୈତନ୍ୟଙ୍କର ଆଜି ଜନ୍ମ ଦିନ ମଧ୍ୟ ଅଟେ । ମଦ ଦୁର୍ନୀତି ମାମଲାରେ ଇଡି ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଟାଉନରେ ଥିବା ଭୁପେଶ ବଘେଲଙ୍କ ବାସଭବନରେ ଇଡି ବଡ଼ ଧରଣର ଚଢ଼ଉ କରିଥିଲା । ତାଙ୍କ ସମର୍ଥକମାନେ ବାସଭବନ ସମ୍ମୁଖରେ ଭିଡ଼ ଜାମାଇଥିଲେ । ଇଡି ଟିମ୍ ଚୈତନ୍ୟଙ୍କୁ ପ୍ରଥମେ ନିଜ ସାଥିରେ ନେଇଯାଇଥିଲେ । ଏହା ପରେ ତାଙ୍କୁ ଗିରଫ କରିଥିଲା । ଏହି ସମୟରେ ସମର୍ଥକମାନେ ଜୋରଦାର ହାଙ୍ଗାମା କରିଥିଲେ । ପୋଲିସ ପକ୍ଷରୁ ସମସ୍ତଙ୍କୁ ବୁଝାସୁଝା କରିବା ପରେ ସେମାନେ ଇଡି ଗାଡ଼ି ଛାଡ଼ିଥିଲେ ।
ଇଡି ଅନୁଯାୟୀ, ୨୦୧୯ ରୁ ୨୦୨୨ ଛତିଶଗଡ଼ରେ ବଘେଲଙ୍କ ସରକାରଥିବାବେଳେ ମଦ ଦୁର୍ନୀତି ହୋଇଥିଲା । ଚୈତନ୍ୟ ବଘେଲ କଥିତ ମଦ ଦୁର୍ନୀତିରୁ ଟଙ୍କା ପାଇଥିବା ସନ୍ଦେହ କରାଯାଉଛି । ଦୁର୍ନୀତି ଯୋଗୁଁ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ହୋଇଛି ଏବଂ ମଦ ଦୁର୍ନୀତିରେ ଅନେକ ନେତା ମନ୍ତ୍ରୀ ସାମିଲ ଅଛନ୍ତି । ପ୍ରାୟ ୨୧୦୦ କୋଟିରୁ ଅଧିକ ଟଙ୍କା ହେରଫେର୍ ହୋଇଛି । ଏହି ମାମଲାରେ, ଜାନୁଆରୀ ମାସରେ, ଇଡି ପୂର୍ବତନ ମନ୍ତ୍ରୀ ଏବଂ କଂଗ୍ରେସ ନେତା କାୱାସି ଲଖମାଙ୍କ ବ୍ୟତୀତ ରାୟପୁର ମେୟର ଏବଂ କଂଗ୍ରେସ ନେତା ଏଜାଜ୍ ଧେବରଙ୍କ ବଡ଼ ଭାଇ ଅନୱର ଧେବର, ପୂର୍ବତନ ଆଇଏଏସ୍ ଅଧିକାରୀ ଅନିଲ ଟୁଟେଜା, ଭାରତୀୟ ଟେଲିକମ୍ ସେବା (ITS) ଅଧିକାରୀ ଅରୁଣପତି ତ୍ରିପାଠୀ ଏବଂ ଅନ୍ୟ କିଛି ଲୋକଙ୍କୁ ତଦନ୍ତର ଅଂଶ ଭାବରେ ଗିରଫ କରିଥିଲା । ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ଚୈତନ୍ୟଙ୍କ ବାସଭବନରେ ବଡ଼ ଧରଣର ଚଢ଼ଉ କରିଥିଲା ।
ଏହି ତଦନ୍ତ ଅଧୀନରେ ଏଜେନ୍ସି ଦ୍ୱାରା ବିଭିନ୍ନ ଅଭିଯୁକ୍ତଙ୍କ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ୨୦୨୪ରେ ସୁପ୍ରିମକୋର୍ଟ ଏହି ମାମଲାରେ ଇଡିର ପ୍ରଥମ ଏଫ୍ଆଇଆର୍କୁ ରଦ୍ଦ କରିଥିଲେ, ଯାହା ଆୟକର ବିଭାଗର ଅଭିଯୋଗ ଉପରେ ଆଧାରିତ ଥିଲା। ଏହା ପରେ ଇଡି ଛତିଶଗଡ଼ର ଅର୍ଥନୈତିକ ଅପରାଧ ତଦନ୍ତ ବ୍ୟୁରୋ (EOW)କୁ ନୂତନ ପ୍ରମାଣ ଆଧାରରେ ଏକ ନୂତନ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ କହିଥିଲା । ପରେ ଏକ ନୂତନ ମାମଲା ଦାୟର କରାଯାଇଥିଲା । ଇଓଡବ୍ଲ୍ୟୁ ଜାନୁଆରୀ ୧୭ରେ ଏଫ୍ଆଇଆର୍ ପଞ୍ଜିକୃତ କରିଥିଲା। ଏଥିରେ ପୂର୍ବତନ ଅବକାରୀ ମନ୍ତ୍ରୀ କାଭସି ଲଖମା, ପୂର୍ବତନ ମୁଖ୍ୟ ସଚିବ ବିବେକ ଢାଣ୍ଡ ଏବଂ ଅନ୍ୟମାନଙ୍କ ସମେତ 70 ଜଣ ବ୍ୟକ୍ତି ଏବଂ କମ୍ପାନୀଙ୍କ ନାମ ଅନ୍ତର୍ଭୁକ୍ତ ଥିଲା ।