ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ହେବ ଅନ୍ତିମ ସଂସ୍କାର
ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସକାଳ ସାଢ଼େ ୯ଟାରେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସକାଳେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ। ସାଧାରଣ ଜନତା ଓ ଦଳୀୟ କର୍ମୀମାନେ ସେଠାରେ ତାଙ୍କର ଶେଷଦର୍ଶନ କରିବାର ସୁଯୋଗ ପାଇବେ।ଡଃ ସିଂହଙ୍କ ବିୟୋଗରେ ୨୦୨୫ ଜାନୁଆରି ପହିଲା ପର୍ଯ୍ୟନ୍ତ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ଶୋକ କାଳରେ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ବିଦେଶରେ ଥିବା ସମସ୍ତ ଭାରତୀୟ ଦୂତାବାସ ଓ ହାଇକମିସନରେ ମଧ୍ୟ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆସନ୍ତାକାଲି ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଅଧିକୃତ କମ୍ପାନୀ କାର୍ଯ୍ୟାଳୟ ଅଧାଦିନ ଛୁଟି ରହିବ।