ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀଙ୍କର ପରଲୋକ

ବରିଷ୍ଠ ରାଜନେତା ତଥା ସିପିଆଇଏମର ସାଧାରଣ ସମ୍ପାଦକ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀଙ୍କର ପରଲୋକ ହୋଇଛି । ଗୁରୁବାର ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଅଗଷ୍ଟ ୧୯ ତାରିଖରେ ନିମୋନିଆରେ ଆକ୍ରାନ୍ତ ହେବାରୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଇସିୟୁ ରଖାଯାଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ସେଠାରେ ଭେଣ୍ଟିଲେଟରରେ ରଖାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ । ତେବେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି । ଏହା ପୂର୍ବରୁ ସେ ଗାଜିଆବାଦରେ ଏକ ଅସ୍ତ୍ରୋପଚାର ମଧ୍ୟ କରିଥିଲେ ।

୧୯୫୨ ମସିହା ଅଗଷ୍ଟ ୧୨ରେ ଜନ୍ମିତ ସୀତାରାମ ୟେଚୁରୀ ଜଣେ ଦକ୍ଷ ରାଜନେତା ହିସାବରେ ବେଶ ଲୋକ ପ୍ରିୟ ଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ପାଦ ଥାପିଥିଲେ । ସେ ୧୯୭୪ ମସିହରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ୧୯୭୫ ଜରୁରୀକାଳୀନ ସମୟରେ ସେ ଜେଲ ମଧ୍ୟ ଯାଇଛନ୍ତି । ସେତେବେଳେ ସେ ଦିଲ୍ଲୀ ଜେଏନୟୁରେ ଅର୍ଥନୀତିରେ ପିଏଚଡି କରୁଥିଲେ। ଗିରଫ ହେବାରୁ ତାଙ୍କ ପିଏଚଡି ପାଠପଢ଼ା ଅଧାରେ ରହି ଯାଇଥିଲା। ଏହା ପରେ ସେ ୩ ଥର ଜେଏନୟୁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୫ରୁ ୨୦୧୫ ମଧ୍ୟରେ ସେ ପଶ୍ଚିମବଙ୍ଗରୁ ରାଜ୍ୟସଭା ସାଂସଦ ହୋଇଛନ୍ତି ।

Related Articles

Back to top button