ଛତିଶଗଡରେ ଓଡିଆ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା, ସମ୍ପତ୍ତି ବିବାଦ ସନ୍ଦେହ

ରାୟପୁର: ଛତିଶଗଡ ଦୁର୍ଗ ଜିଲ୍ଲାର କୁହ୍ମାରୀରେ ଓଡିଆ ପରିବାରର 4 ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଦମ୍ପତି ଓ ସେମାନଙ୍କ ଦୁଇ ସନ୍ତାନ ରହିଛନ୍ତି । ମୃତକମାନେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାର ବାସିନ୍ଦା ହୋଇଥିବା ବଳେ ଦୀର୍ଘ ବର୍ଷ ହେବ ସେଠାରେ ରହି ଆସୁଥିଲେ । ଜମିବାଡି ଓ ସମ୍ପତ୍ତି ବିବାଦ କାରଣରୁ କେହି ସମ୍ପର୍କୀୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।

ମୃତକମାନେ ହେଲେ 34 ବର୍ଷୀୟ ଭୋଳାନାଥ ଯାଦବ, 30 ବର୍ଷୀୟା ପତ୍ନୀ ନୈଲା ଯାଦବ 12 ଓ 7 ବର୍ଷୀୟ ପୁୁଅ ପ୍ରମୋଦ ଓ ଝିଅ ମୁକ୍ତା । ଭୋଳାନାଥ ଗତ 12 ବର୍ଷ ଧରି ଛତିଶଗଡ ଦୁର୍ଗ ଅଞ୍ଚଳରେ ସପରିବାର ରହି ଆସୁଥିଲେ । ଆଜି ସକାଳୁ ସମସ୍ତ 4 ଜଣଙ୍କ ରକ୍ତାକ୍ତ ମୃତଦେହ ଘର ଭିତରୁ ଠାବ କରାଯାଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ହତ୍ୟାକାଣ୍ଡର ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପ୍ରାଥମିକ ଭାବେ ମୃତକଙ୍କ ଭାଇକୁ ଅଭିଯୁକ୍ତ ଭାବେ ସନ୍ଦେହ କରୁଛି ପୋଲିସ ।

ସ୍ଥାନୀୟ ପୋଲିସ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଓ ମୃତକଙ୍କ ଭାଇର ଶରୀରରେ ମଧ୍ୟ ଆଘାତର ଚିହ୍ନ ଥିବାରୁ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରି ତାକୁ ଅଟକ ରଖିଛି । ଘଟଣାକୁ ଗତକାଲି ରାତି 10ଟା ପରେ ରୂପ ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ଡଗ ସ୍କ୍ବାର୍ଡ ସହ ତଲାସୀ ଜାରି ରହିଛି । ଖବୁଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ମଧ୍ୟ ଏସପି କହିଛନ୍ତି ।

Related Articles

Back to top button