
କୃଷକଙ୍କ ଋଣ ଛାଡ କରିବେ ମଧ୍ୟପ୍ରଦେଶ ସରକାର
ନୂଆଦିଲ୍ଲୀ: କୃଷକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ସରକାର । ପିଏମ କିସାନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ କେନ୍ଦ୍ର ସରକାର କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଆଉ ଏକ ବଡ ଘୋଷଣା କରାଯାଇଛି । ଏହି ଘୋଷଣା ପରେ କୃଷକମାନଙ୍କୁ ବଡ ଫାଇଦା ମିଳିପାରିବ । କୃଷକଙ୍କ ଋଣର ସୁଧକୁ ଛାଡ କରିବା ନେଇ ଏକ ନୂଆ ଯୋଜନା ଆଣିଛନ୍ତି ମଧ୍ୟପ୍ରଦେଶ ସରକାର ।
ସୂଚନା ଅନୁସାରେ, ମଧ୍ୟପ୍ରଦେଶ ସରକାରଙ୍କ ତରପରୁ କୃଷକଙ୍କ ଲୋନ୍ ଉପରେ ଥିବା ସୁଧ ଛାଡ କରିବା ପାଇଁ ୨,୧୨୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ତେବେ ଋଣ ଦେବାରେ ଅବହେଳା କରିଥିବା ପ୍ରାୟ ୧୧.୯ ଲକ୍ଷ କୃଷକ ମାନଙ୍କର ଏହି ଋଣ ସୁଧ ଛାଡ କରିବା ପାଇଁ ଏହି ଯୋଜନା କରିଛନ୍ତି ସରକାର । ମଙ୍ଗଳବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ତେବେ ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଯେଉଁ କୃଷକମାନଙ୍କର ଋଣ ଏବଂ ସୁଧ ମୋଟ ୨ ଲକ୍ଷରୁ କମ୍ ହୋଇଥିବ, ସେହି କୃଷକମାନେ ହିଁ ଏହି ଯୋଜନାର ଅଧୀନରେ ଆସିପାରିବେ । ପୂର୍ବ କଂଗ୍ରେସ ସରକାରଙ୍କ ପ୍ରତିଶ୍ରୁତି ଯୋଗୁଁ ଯେଉଁ କୃଷକମାନେ ଋଣ ପରିଶୋଧ କରି ପାରି ନଥିଲେ, ରାଜ୍ୟ ସରକାର ସେମାନଙ୍କ କୃଷି ଋଣ ଉପରେ ଲାଗୁ ହୋଇଥିବା ସୁଧ ବ୍ୟାଙ୍କରେ ଜମା କରିବେ ବୋଲି ଗତବର୍ଷ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।
ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ କୃଷକମାନଙ୍କୁ ଆବେଦନ କରିବାକୁ ପଡିବ । ଏବଂ ସହକାରୀ ସମିତିକୁ ଏହି ଚାଷୀମାନଙ୍କର ତଥ୍ୟ ଏକ ପୋର୍ଟାଲରେ ପ୍ରକାଶ କରିବାକୁ ହେବ । ତେବେ କଂଗ୍ରେସ ସରକାରଙ୍କ ଋଣ ଛାଡ ପ୍ରତିଶ୍ରୁତି ପୂରଣ ନ କରିବା ଯୋଗୁଁ କୃଷକମାନେ ଲୋନ୍ ପରିଶୋଧ କରି ପାରି ନଥିବା ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ଚୌହାନ୍ । ସେପଟେ କଂଗ୍ରେସ ଦାବି କରିଛି ଯେ, ଦଳ ସରକାରରେ ଥିବା ବେଳେ ପ୍ରାୟ ୨୪ ଲକ୍ଷ କୃଷକ ଏହାର ଫାଇଦା ପାଇଛନ୍ତି ।