
ରୁଷ୍ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ତମାଳ’କୁ ଜୁଲାଇ ୧ରେ ଭାରତୀୟ ନୌସେନାରେ କରାଯିବ ସାମିଲ
ରୁଷ୍ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ତମାଳ’କୁ ଜୁଲାଇ ୧ରେ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ଜଣାପଡିଛି। ରୁଷ୍ର କାଲିନିଗ୍ରାଦ୍ ସିପ୍ୟାର୍ଡରେ ନିର୍ମିତ ଏହି ଯୁଦ୍ଧଜାହାଜ କ୍ରିଭାକ୍ ଶ୍ରେଣୀର ଅଷ୍ଟମ ଜାହାଜ। ଜୁଲାଇ ୧ରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପଶ୍ଚିମ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ସଞ୍ଜୟ ସିଂହ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି। ‘ତମାଳ’ ସାମିଲ ହେବାପରେ ଏହାକୁ ପଶ୍ଚିମ ନୌସେନା କମାଣ୍ଡରେ ମୁତୟନ କରାଯିବାର ଯୋଜନା ରହିଛି। ଦେବତାଙ୍କ ରାଜା ଇନ୍ଦ୍ରଙ୍କ ଖଣ୍ଡା ‘ତମାଳ’ ନାମରେ ଏହି ଯୁଦ୍ଧଜାହାଜର ନାମକରଣ କରାଯାଇଛି। ଏହି ଯୁଦ୍ଧଜାହାଜର ମାସ୍କଟ୍କୁ ପୌରାଣିକ ଚରିତ୍ର ‘ଜାମ୍ବବାନ’ ଏବଂ ରୁଷ୍ର ଜାତୀୟ ପ୍ରାଣୀ ‘ବ୍ରାଉନ ବିୟର’କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ୩୯୦୦ ଟନ୍ ଓଜନ ବିଶିଷ୍ଟ ଏହି ଯୁଦ୍ଧଜାହାଜ ସମେତ ଆଉ ତିନିଟି ଫ୍ରିଗେଟ କିଣିବାକୁ ରୁଷ୍ ସହ ୨.୫ ବିଲିୟନ ଆମେରିକୀୟ ଡଲାରର ବୁଝାମଣା ସ୍ବାକ୍ଷରିତ ହୋଇଛି। ଏଥିମଧ୍ୟରୁ ଦୁଇଟି ଫ୍ରିଜେଟ ରୁଷ୍ର ୟାନ୍ତାର ଏବଂ ଅନ୍ୟ ଦୁଇଟି ଗୋଆ ସିପ୍ୟାର୍ଡରେ ନିର୍ମାଣ କରାଯିବାର ଯୋଜନା ରହିଛି।