ଫୋରେନସିକ ଲାବୋରଟୋରୀକୁ ପଠାଗଲା ଫୁଲମାଳ: କର୍ଣ୍ଣାଟକର ହୁବ୍‌ଲି ରୋଡ୍‌ ସୋ’ରେ ମୋଦୀଙ୍କୁ ପିନ୍ଧାଇବାକୁ ଫୁଲମାଳ ଧରି ପଶିଆସିଥିଲା ବାଳକ

ବାଙ୍ଗାଲୋର: କର୍ଣ୍ଣାଟକର ହୁବ୍‌ଲିଠାରେ ଗତକାଲି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ରୋଡ୍‌ ସୋ’ରେ ଯିବା ସମୟରେ ସୁରକ୍ଷାରେ ବଡ଼ ଧରଣର ଉଲ୍ଲଂଘନ ହୋଇଥିଲା। ମୋଦୀ ଏକ ଏସୟୁଭିରେ ଛିଡ଼ା ହୋଇ ଲୋକଙ୍କୁ ହାତ ହଲାଇ ରୋଡ୍‌ ସୋ’ରେ ଯିବା ସମୟରେ ତାଙ୍କ ନିକଟକୁ ମାଡ଼ି ଆସିଥିଲା ପ୍ରାୟ ଚଉଦ ପନ୍ଦର ବର୍ଷର ବାଳକ। ବାଳକଟି ହାତରେ ଫୁଲମାଳ ଧରି ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ନିକଟକୁ ସାମ୍ନାପଟୁ ଖୁବ୍‌ ଜୋରରେ ଦୌଡ଼ି ଆସିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି ସଦସ୍ୟ ସଂପୃକ୍ତ ପିଲାଟିକୁ ଧରି ପକାଇ ବାହାରକୁ ନେଇଯାଇଥିଲେ। ତେବେ ଯିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସଦସ୍ୟ ପିଲାଟିଠାରୁ ଫୁଲମାଳ ଆଣି ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାହାକୁ ହାତରେ ଧରିବା ସହିତ ପୁନର୍ବାର ଏସପିଜି ଅଧିକାରୀଙ୍କୁ ଫେରାଇ ଦେଇଥିଲେ।

ଆଉ ଏବେ ଏହି ଫୁଲମାଳର ପରୀକ୍ଷା ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) କୁ ପଠାଯାଇଛି। ସୂଚନାନୁସାରେ, ଏଥିରେ କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ କିମ୍ବା ବିଷାକ୍ତ ପଦାର୍ଥ ନଥିବା ସୁନିଶ୍ଚିତ କରିବା ପାଇଁ ଏଫଏସଏଲକୁ ପଠାଯାଇଛି | ଆଉ ପରୀକ୍ଷାରୁ ଜଣାପଡିଛି ଯେ ଏଥିରେ କ୍ଷତିକାରକ କିମ୍ବା ସନ୍ଦେହଜନକ ପଦାର୍ଥ ନାହିଁ | ଏ ସମ୍ପର୍କରେ ଏକ ରିପୋର୍ଟ ରାଜ୍ୟ ପୁଲିସ ବିଭାଗ ଏବଂ ସ୍ୱତନ୍ତ୍ର ସୁରକ୍ଷା ସମୂହ (ଏସପିଜି) କୁ ଦାଖଲ କରାଯାଇଛି। କୁନାଲ ଧୋଙ୍ଗଡି ନାମକ ଏହି ବାଳକକୁ ଯେତେବେଳେ ପଚରାଉଚୁରା କରାଯାଇଥିଲା, ସେ କହିଥିଲା ଯେ ପ୍ରଧାନମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ମୁଁ ତାଙ୍କର ପ୍ରଶଂସକ ଏବଂ ତାଙ୍କୁ ଭେଟିବାକୁ ଚାହୁଁଛି।

Related Articles

Back to top button