
ପ୍ରଥମଥର ପାଇଁ ୯୫ ହଜାର ପାର୍ କରିଛି ସୁନା ଦର ।
ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର । ପ୍ରଥମଥର ପାଇଁ ୯୫ ହଜାର ପାର୍ କରିଛି ଦର । କିଛି ଦିନ ହେଲା ଏହା ହ୍ରାସ ପାଉଥିବା ବେଳେ ଏବେ କ୍ରମାଗତ ଭାବେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ସୁନାର ଦର ଏବେ ଆକାଶଛୁଆଁ ହେଉଛି । ଗତ ୩ ଦିନରେ ସୁନା ଦର ୫ ହଜାର ଟଙ୍କାରୁ ଅଧିକ ମହଙ୍ଗା ହେଲାଣି । ଆଜି ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧ ହଜାର ୮୫୦ ଟଙ୍କା ବଢିଥିବା ବେଳେ ୨୪ କ୍ୟାରେଟ୍ ବା ଖାଣ୍ଟି ସୁନାର ଦାମ୍ ୨ହଜାର ୨୦ଟଙ୍କା ବୃଦ୍ଧି ହୋଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭ ହଜାର ୪୫୦ ଟଙ୍କା ହୋଇଛି । ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୯୫ହଜାର ୪ଶହ ଟଙ୍କାରେ ପହଞ୍ଚିଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପାଇଁ ନିବେଶକ କ୍ଷତି ସହୁଛନ୍ତି । ଷ୍ଟକ୍ ମ୍ୟାକେର୍ଟରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ଶେୟାର ମ୍ୟାକେଟ୍ ତଳ ମୁହାଁ ହେବା ପରେ ସେଥିପାଇଁ ଅନେକ ନିବେଶକ ଏବେ ସୁନା ଉପରେ ପୁଞ୍ଜିନିବେଶ କରୁଛନ୍ତି । ତେଣୁ ଏହାର ପ୍ରଭାବରେ ସୁନା ଦରରେ ଏଭଳି ଉପରମୁହାଁ ସ୍ଥିତି ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହି ଟ୍ରେଣ୍ଡ ବଢିପାରେ ଆକଳନ କରାଯାଉଛି ।
ଯଦିଓ ପୂର୍ବରୁ ଆମେରିକାର ଏକ ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର ଆକଳନ କରିଥିଲା, ଆଗକୁ ସୁନା ଦର ତଳମୁହାଁ ହେବ, ଏବଂ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୬ ହଜାରରେ ପହଞ୍ଚିବ, ହେଲେ ଏବେ ସୁନା ଦରରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ଚ୍ଚ ୧ରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ମାସକ ଭିତରେ ଦାମ୍ ୮୭, ୪୫୦ ଟଙ୍କାରେ ପହଞ୍ଚିଛି । ଆଗକୁ ବିବାହ ଋତୁ ଥିବାବେଳେ ସୁନାର ଏହି ବର୍ଦ୍ଧିତ ଦର ସାଧାରଣ ଗ୍ରାହକଙ୍କ ପାଇଁ ଦାଉ ସାଧିଛି ।