
ଖରିଫ ଫସଲର ଏମଏସପି ବଢାଇଲେ କେନ୍ଦ୍ର ସରକାର : ୬୯ ଟଙ୍କା ବଢିଲା ଧାନର MSP
ଚାଷୀଙ୍କ ପାଇଁ ଖୁସି ଖବର। ଖରିଫ ଫସଲର ଏମଏସପି ବଢାଇଲେ କେନ୍ଦ୍ର ସରକାର। ୬୯ ଟଙ୍କା ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) । ୨୦୨୫-୨୬ ବର୍ଷ ପାଇଁ ଆଜି ମୋଟ ୧୪ଟି ଖରିଫ୍ ଫସଲର MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ସହିତ ହରଡ଼, ମୁଗ, ବାଜରା, ଜୱାର, କପା ଏବଂ ସୂର୍ଯ୍ୟମୁଖୀ, ରାଶି, ବାଦାମ, ସୋୟାବିନ ଆଦି ତୈଳବୀଜ ଜାତୀୟ ଫସଲର MSP ବଢିଛି । ଏନେଇ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି । କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କ ହିତ ପାଇଁ ସରକାର ଏମଏସପି ବୃଦ୍ଧି କରିଛନ୍ତି । ଧାନର MSP ଗତ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରାଯାଇଛି । କେନ୍ଦ୍ର ଦେଉଥିବା ୨,୩୦୦ ଟଙ୍କା ୨,୩୬୯ ଟଙ୍କାକୁ ବୃଦ୍ଧି ହୋଇଛି । ଏଣିକି ଗ୍ରେଡ୍ A ଧାନ ପାଇଁ କ୍ୱିଣ୍ଟାଲ ପିଛା ମିଳିବ ୨,୩୮୯ ଟଙ୍କା । ସେହିଭଳି ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ି ୩,୭୪୯ ଟଙ୍କା ହୋଇଛି । ବାଜରା ୧୫୦ ବଢି କ୍ୱିଣ୍ଟାଲ ପିଛା ୨,୭୭୫ ଟଙ୍କା, ରାଗି ଏମଏସପି ୫୯୬ ଟଙ୍କା ସହ ୪,୮୮୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି ।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘କୃଷକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଗତ ୧୦-୧୧ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ MSPରେ ଏକ ବଡ଼ ବୃଦ୍ଧି କରାଯାଇଛି। ମୋଟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ, ‘ଚାଷୀଙ୍କ ପାଇଁ ସୁଧ ଛାଡ ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହାର ମୂଲ୍ୟ ୧୫ ହଜାର ୬୪୨ କୋଟି ଟଙ୍କା ହେବ। ସେ କହିଛନ୍ତି, ‘କିଷାନ କ୍ରେଡିଟ କାର୍ଡ (KCC) ଉପରେ ୪ପ୍ରତିଶତ ସୁଧରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଦେଶରେ ୭.୭୫ କୋଟିରୁ ଅଧିକ କିଷାନ କ୍ରେଡିଟ କାର୍ଡ ଆକାଉଣ୍ଟ ଅଛି। ଏହା ଏବେ କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀଙ୍କ ପାଇଁ ଏକ ବଡ଼ ଲାଭ ହେବ। କେନ୍ଦ୍ର କ୍ୟାବିନେଟ ସୁଧ ସବସିଡି ଯୋଜନାକୁ ମଞ୍ଜୁରୀ ଦେଇଛି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କିଷାନ କ୍ରେଡିଟ କାର୍ଡ ପ୍ରଚଳନ କରାଯାଇଥିଲା। ଏହା ଚାଷୀମାନଙ୍କୁ ସେମାନଙ୍କ କାମ ପାଇଁ ଋଣ ନେବା ବହୁତ ସହଜ କରିଛି। ଏହି ଯୋଜନାରେ, ଚାଷୀମାନଙ୍କୁ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବାକୁ ଧ୍ୟାନ ଦିଆଯାଇଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ଗ୍ୟାରେଣ୍ଟି ନିଆଯିବ ନାହିଁ’।