ଅର୍ଶଦୀପ ସିଂହଙ୍କୁ ଖାଲିସ୍ତାନ ଦର୍ଶାଇବା ନେଇ କ୍ଷୁବ୍ଧ କେନ୍ଦ୍ର ସରକାର, ଓ୍ଵିକିପିଡିଆକୁ ସମନ ଜାରି

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଏସିଆ କପର ସୁପର-୪ ମୁକାବିଲା ହାରିବା ପରେ କ୍ରିକେଟ୍ ପ୍ରଶଂସକ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଉପରେ ବର୍ଷିଛନ୍ତି। ଏପରିକି ଅର୍ଶଦୀପ ସିଂହଙ୍କ ଓ୍ଵିକିପିଡିଆ ପେଜ୍ ଏଡିଟ୍ କରାଯାଇ ତାଙ୍କୁ ଖାଲିସ୍ତାନି ଦର୍ଶା୍ଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ଓ୍ଵିକିପିଡିଆର ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ମନ୍ତ୍ରଣାଳୟ ପ୍ରଶ୍ନ କରିଛି ଯେ, ଅର୍ଶଦୀପଙ୍କ ଓ୍ଵିକିପିଡିଆ ଏଡିଟ୍ ଏମିତି କେମିତି ହୋଇଗଲା ଏବଂ ଭବିଷ୍ୟତରେ ଏମିତି କାମକୁ ରୋକିବା ପାଇଁ କଣ ଯୋଜନା ରହିଛି।

ଅଧିକାରୀ କହିଛନ୍ତି, ସରକାର ଏହି ମାମଲାକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ଓ୍ଵିକିପିଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ପର୍ଯ୍ୟନ୍ତ ଓ୍ଵିକିପିଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଉଲ୍ଲେଖନୀୟ ଆମେରିକାର ଅଣ ଲାଭକାରୀ ସଂସ୍ଥା ଓ୍ଵିକିପିଡିଆ ଦୁନିଆର ସମସ୍ତ ବିଷୟରେ ସୂଚନା ଦେବା ପାଇଁ ପ୍ରସିଦ୍ଧ। ଓ୍ଵିକିପିଡିଆ ଏମିତି ଏକ ଖୋଲା ମଞ୍ଚ, ଯେଉଁଥିରେ  ଯେ କେହି ବି ସୂଚନା ସେୟାର କରି ପାରିବ ଏବଂ ସମୟ ସମୟର ସମ୍ବନ୍ଧିତ ପେଜ୍‌କୁ ଅପଡେଟ୍ କରି ପାରିବେ।

ଏହା ମଧ୍ୟରେ ସୂଚନା ଆସିଛି ଯେ, ଅର୍ଶଦୀପ ସିଂହଙ୍କ ଓ୍ଵିକିପିଡିଆ ପେଜ୍‌କୁ ପାକିସ୍ତାନରୁ ଏଡିଟ୍ କରାଯାଇଛି। ପାକିସ୍ତାନର ପଞ୍ଜାବ ରାଜ୍ୟର ମୁରୀ ଟାଉନର କୌଣସି ବ୍ୟକ୍ତି ଅର୍ଶଦୀପଙ୍କ ପେଜ୍‌କୁ ପରିବର୍ତ୍ତନ କରିଛନ୍ତି। ଅର୍ଶଦୀପ ସିଂହଙ୍କ ଓ୍ଵିକିପିଡିଆ ପେଜ୍‌ରେ ଲେଖା ହୋଇଥିଲା ଯେ, ସେ ଖାଲିସ୍ତାନର ଖେଳାଳି। ସେ ୨୦୧୮ରେ ଖାଲିସ୍ତାନ ପକ୍ଷରୁ ୧୯ ବର୍ଷରୁ କମ ବିଶ୍ଵ କପ୍ କ୍ରିକେଟ୍ ଖେଳିଥିଲେ।  ୨୦୨୨ ଜୁଲାଇରେ ସେ ଖାଲିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ୨୦୨୨ ଅଗଷ୍ଟରେ ତାଙ୍କୁ ଖାଲିସ୍ତାନ ଏସିଆ କପ ଦଳରେ ଚୟନ କରାଯାଇଥିଲା।

Related Articles

Back to top button