ବାଲ୍ୟ ବିବାହ ହେଉଥିବା ରାଜ୍ୟମାନଙ୍କର ତାଲିକା ପ୍ରକାଶ କଲେ କେନ୍ଦ୍ର ସରକାର: ଝାଡ଼ଖଣ୍ଡରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ବାଲ୍ୟ ବିବାହ ନେଇ ଯେତେ ସଚେତନତା ଓ କଡ଼ା ନିୟମ କଲେ ବି ଥମିବାରେ ନାଁ ନେଉ ନାହିଁ । ୨୦୨୨ରେ ବି ବାପା-ମାଆମାନେ ସେମାନଙ୍କ ନାବାଳିକା ଝିଅଙ୍କୁ ବାହା ଦେଉଛନ୍ତି । ଯାହା ଭାରତ ଭଳି ଦ୍ରୁତ ବିକାଶଶିଳ ରାଷ୍ଟ୍ର ପାଇଁ କଳଙ୍କ ଠାରୁ କମ୍ ନୁହେଁ ।

ଭାରତରେ ବାଲ୍ୟ ବିବାହକୁ ନେଇ କେନ୍ଦ୍ର ସରକାର ଏକ ସଦ୍ୟତମ ସର୍ଭେ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଜନସାଂଖିକ ସର୍ଭେ ରିପୋର୍ଟରେ ଝାଡ଼ଖଣ୍ଡରେ ସର୍ବାଧିକ ବାଲ୍ୟ ବିବାହ ହେଉଛି ବୋଲି ଜଣାପଡ଼ିଛି।

୨୦୨୦ରେ ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଝାରଖଣ୍ଡରେ ସର୍ବାଧିକ ନାବାଳିକାଙ୍କ ବାହାଘର କରାଯାଇଛି । ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଜନଗଣନା କମିଶନରଙ୍କ ଦ୍ୱାରା ୨୦୨୦ରେ ଏହି ସର୍ଭେ କରାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଏହା ରିଲିଜ୍ ହୋଇଛି।

ରିପୋର୍ଟ ଅନୁସାରେ, ଝାଡ଼ଖଣ୍ଡରେ ୧୮ ବର୍ଷ ନ ହେବା ପୂର୍ବରୁ ଝିଅଙ୍କର ବିବାହ କରିଦିଆ ଯାଉଛି । ରାଜ୍ୟରେ ଏମିତି ବିବାହ ସଂଖ୍ୟା ୫.୮ ପ୍ରତିଶତ ରହିଛି। ସର୍ଭେରେ କୁହାଯାଇଛି “ ୧୮ ବର୍ଷରୁ କମ ନାବାଳିକାଙ୍କ ବିବାହ ହାର ଜାତୀୟ ସ୍ତରରେ ୧.୯ ରହିଛି। କେରଳରେ ଏହି ଅନୁପାତ ୦.୦ ରହିଥିବା ବେଳେ ଝାଡ଼ଖଣ୍ଡରେ ଏହା ୫.୮ ପ୍ରତିଶତ ରହିଛି।” ଝାଡ଼ଖଣ୍ଡରେ ମୋଟ ବାଲ୍ୟ ବିବାହ ହାରରୁ କେବଳ ଗ୍ରାମାଞ୍ଚଳରେ ୭.୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହି ହାର ମାତ୍ର ୩ ପ୍ରତିଶତ ରହିଛି।

ସର୍ଭେ ରିପୋର୍ଟ ଅନୁସାରେ, ଦେଶରେ କେବଳ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଅଧିକାଂଶ ମହିଳାଙ୍କର ବିବାହ ୨୧ ବର୍ଷ ପୂର୍ବରୁ ହୋଇଯାଉଛି । ପଶ୍ଚିମବଙ୍ଗରେ ଏହି ହାର ୫୪.୯ ପ୍ରତିଶତ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୫୪.୬ ପ୍ରତିଶତ ରହିଛି । ସେହିପରି ୨୧ ବର୍ଷ ପୂର୍ବରୁ ମହିଳାଙ୍କ ବିବାହର ଜାତୀୟ ହାର ୨୯.୫ ପ୍ରତିଶତ ରହିଛି ବୋଲି ସର୍ଭେ ରିପୋର୍ଟରେ ଜଣାପଡ଼ିଛି ।

ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ(ଏସ୍‌ଆର୍‌ଏସ୍) ବା ନମୁନା ପଞ୍ଜିକରଣ ପ୍ରଣାଳିରେ ୮.୪ ମିଲିୟନ ଲୋକଙ୍କ ଉନେଇ ହୋଇଥିବା ଏକ ବିଶାଳ ସର୍ଭେରେ ନିଆଯାଇଥିବା ବିଭିନ୍ନ ଦିଗକୁ ନିଆଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Related Articles

Back to top button