ସମଗ୍ର ଦେଶରେ ମଦରସାଗୁଡିକୁ ସରକାରଙ୍କ ପକ୍ଷରୁ ମିଳୁଥିବା ଫଣ୍ଡିଂ ଜାରି ରହିବ : ସର୍ବୋଚ୍ଚ ନ୍ୟାୟାଳୟ

ସୁପ୍ରିମକୋର୍ଟ ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗ(ଏନସିପିଆର)ର ସୁପାରିଶ ଉପରେ ସୋମବାର ରୋକ ଲଗାଇଛନ୍ତି । ଏହି ନିଷ୍ପତ୍ତି ପରେ ସମଗ୍ର ଦେଶରେ ମଦରସାଗୁଡିକୁ ସରକାରଙ୍କ ପକ୍ଷରୁ ମିଳୁଥିବା ଫଣ୍ଡିଂ ଜାରି ରହିବ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ ଆଜି ମାମଲା ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଦେଇଛନ୍ତି । ମୁସଲିମ ସଂଗଠନ ଜମିୟତ ଉଲେମା ଏ ହିନ୍ଦ ପକ୍ଷରୁ ହାଜର ଓକିଲ କୋର୍ଟରେ କହିଥିଲେ ଯେ, ଏନସିପିସିଆର କିଛି ରାଜ୍ୟରେ ମଦରସା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।ମୁୁସଲିମ ସଂଗଠନ ଉତ୍ତର ପ୍ରଦେଶ ଓ ତ୍ରିପୁରା ସରକାରଙ୍କ ସେହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ, ଅଣ ମାନ୍ୟତା ପ୍ରାପ୍ତ ଛାତ୍ରମାନଙ୍କୁ ସରକାରୀ ସ୍କୁଲକୁ ସ୍ଥାନାନ୍ତରିତ କରାଯିବା ଉଚିତ୍ । ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି, ଜୁନ ୭ ଓ ଜୁନ ୨୫ରେ ଜାରି ଏନସିପିସିଆରର ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ନୁହେଁ । ଏପରିକି ଏହି ସନ୍ଦର୍ଭରେ ରାଜ୍ୟ ଦ୍ୱାରା ଜାରି ଆଦେଶକୁ ସ୍ଥଗିତ ରଖାଯାଉଛି । ସର୍ବୋଚ୍ଚ ନ୍ୟାୟାଳୟ ମୁସଲିମ ସଂସ୍ଥାଗୁଡିକୁ ଉତ୍ତର ପ୍ରଦେଶ ଓ ତ୍ରିପୁରା ବ୍ୟତୀତ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ନିଜ ଯାଚିକାରେ ପକ୍ଷକାର କରିବାକୁ ଅନୁମତି ଦେଇଛନ୍ତି ।

ଏନସିପିସିଆରର ଅଧ୍ୟକ୍ଷ ପ୍ରିୟଙ୍କା କାନୁଗୋ ଗତ ଦିନରେ କହିଥିଲେ ଯେ, ମଦରସାଗୁଡିକୁ ବନ୍ଦ କରିବା ପାଇଁ କହିନାହୁଁ । ବରଂ ଏହି ସଂସ୍ଥାଗୁଡିକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଧନରାଶି ଉପରେ ରୋକ୍ ଲଗାଇବା ପାଇଁ ସୁପାରିଶ କରାଯାଇଛି । କାରଣ ଏହି ସବୁ ମଦରସା ମୁସଲିମ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛନ୍ତି । ପିଲାଙ୍କୁ ମୌଳିକ ଶିକ୍ଷା ଦେବା ଜାଗାରେ ଧର୍ମ ଆଧାରିତ ଶିକ୍ଷା ଦିଆଯାଉଛି । ବିଶେଷ କରି ଗରିବ ମୁସଲିମ ପିଲାଙ୍କ କ୍ଷେତ୍ରରେ ଏସବୁ ଘଟୁଛି । ତେବେ ସବୁ ପକ୍ଷ ଶୁଣିବା ପରେ ସୁପ୍ରିମକୋର୍ଟ ପୂର୍ବ ପରି ମଦରସାଗୁଡିକୁ ସରକାରୀ ଅନୁଦାନ ଜାରି ରହିବ ବୋଲି ରାୟ ଦେଇଛନ୍ତି ।

Related Articles

Back to top button